ଥୁଆମୂଳ ରାମପୁର,୧୬ା୭(ଦୁର୍ଗା କୀର୍ତ୍ତି):ରାସ୍ତା ଶୋଚନୀୟ ଯୋଗୁ ଏକ ସରକାରୀ ବସ୍ ଆଗକୁ ଯାଇ ନ ପାରି ଦୀର୍ଘ ସମୟ ଅଟକିରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଘଟଣା ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ବ୍ଲକ୍ର ଡୁମେରପଦର ମୁଖ୍ୟ ରାସ୍ତା ଭବାନୀପାଟଣା, ଥୁଆମୂଳ ରାମପୁର, ଅଡ୍ରି, ଗୋପୀନଥପୁର, ମାଳିଗାଁ ସମେତ ରାୟଗଡ଼ା ଜିଲାର କାଶୀପୁରକୁ ସଂଯୋଗ କରୁଛି। ଏହି ରାସ୍ତାରେ ଦିନତମାମ ଭାରିଯାନ ସହ ଯାତ୍ରୀବାହୀ ବସ୍ ଚଳାଚଳ କରିଥାଏ। କିନ୍ତୁ ଡୁମେରପଦର ଗ୍ରାମ ଶେଷ ମୁଣ୍ଡରେ ନବୀକରଣ କାମ ଅଟକିରହିଥିବାରୁ ରାସ୍ତା ଶୋଚନୀୟ ହୋଇପଡିଛି। ଫଳରେ ସୋମବାର ଭବାନୀପାଟଣାଠାରୁ ଗୋପୀନାଥପୁର ଯାଉଥିବା ସରକାରୀ ବସ୍ ଫସିରହିଥିଲା। ଜେସିବି ସାହାଯ୍ୟରେ ଏହାକୁ ଉଠାଇ ଭଲ ରାସ୍ତାକୁ ଅଣାଯିବା ପରେ ବସ୍ଟି ଗନ୍ତବ୍ୟସ୍ଥଳକୁ ଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି, ମୁଖ୍ୟ ରାସ୍ତାର ଦୁଇପାଶର୍ବରେ କିଛି ସ୍ଥାନୀୟ ବ୍ୟକ୍ତିଙ୍କର ନିଜସ୍ବ ଜାଗା ରହିଛି। ଏଥିଯୋଗୁ ନବୀକରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପୂର୍ତ୍ତ ବିଭାଗ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବୁଝାମଣା କରାଯାଇ ରାସ୍ତାକାମ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମିନିକେତନ କାର୍ଜିଙ୍କୁ ପଚାରିବାରୁ ମାଲିକ ଜାଗା ଛାଡ଼ୁ ନ ଥିବାରୁ ସମସ୍ୟା ଦେଖାଦେଇଛି। ପୂର୍ବରୁ ଆମେ ଡ୍ରେନ୍ ଓ ଅନ୍ୟାନ୍ୟ କାମ କରିବା ସହ ମ୍ୟାଟେରିଆଲ ମଧ୍ୟ ପକାଇଥିଲୁ। ହେଲେ ଜମି ମାଲିକ ଅଧିକାରୀଙ୍କ ସହ ପାଟିତୁଣ୍ଡ କଲେ। ପରେ ଆମେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ତହସିଲଦାରଙ୍କୁ ସେ ସ୍ଥାନକୁ ନେଇ ଜମି ମାଲିକଙ୍କ ସହ ଆଲୋଚନା କରିଥିଲୁ। ହେଲେ ସୁଫଳ ମିଲିପାରି ନାହିଁ। ପୁଣି ଆପୋସ ବୁଝାମଣା ପାଇଁ ଜମି ମାଲିକଙ୍କ ସହ ଆଲୋଚନା କରିବୁ ବୋଲି କହିଛନ୍ତି।

