ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବନମାଳୀପୁର ପଞ୍ଚାୟତ ଉଦୟପୁରରୁ ଜଗନ୍ନାଥପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଛି। ଫଳରେ ସେହି ରାସ୍ତାରେ ଯାତାୟତରେ ସମସ୍ୟା ଲାଗି ରହିଛି। ଅସରାଏ ବର୍ଷା ହେଲେ ସେହି ରାସ୍ତାରେ ବହୁ ଦିନଧରି ପାଣି ଜମିରହି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେହ ଛାତ୍ରୀଛାତ୍ରମାନେ ନିକଟସ୍ଥ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି। ରାସ୍ତାରେ ପାଣି ଜମି ରହିବା ଯୋଗୁ ଛାତ୍ରୀଛାତ୍ରଙ୍କ ସହିତ ସ୍ଥାନୀୟ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ଖଣ୍ଡପଡ଼ା ବ୍ଲକ୍‌ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।