ପାଇପ୍‌ ଲାଇନ ବିଛା ଆଳରେ ଖୋଳାଚାଲିଛି ରାସ୍ତା

ନାଉଗାଁ,୨୬ା୯(ସ୍ବ.ପ୍ର): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରଠାରୁ ରୋହିଆକୁ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି। କିଛିଦିନ ତଳେ ଏହି ରାସ୍ତା ପାର୍ଶ୍ୱକୁ ଖୋଳାଯାଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତରେ ବାଧା ସୃଷ୍ଟି ହେବା ସହ ବିଭିନ୍ନ ସ୍ଥାନରେ ଫାଟ ହୋଇଛି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ପାଇପ୍‌ ବିଛା କାର୍ଯ୍ୟ ଚାଲୁ ରହିଛି। ଏନେଇ ନାଉଗାଁ ବଜାରଠାରୁ ଥାନା ଛକ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତାପାର୍ଶ୍ୱ ଖୋଳାଯାଇଛି। ପାଇପ ବିଛାଇବା ସମୟରେ ଶ୍ରମିକଙ୍କ ସାହାଯ୍ୟରେ ରାସ୍ତାପାର୍ଶ୍ୱ ଖୋଳା ନ ଯାଇ ମେଶିନ ବ୍ୟବହାର କରାଯାଉଛି। ଫଳରେ ରାସ୍ତାପାର୍ଶ୍ୱରୁ ମାଟି ଉଠିଯିବା ସହ ବହୁ ସ୍ଥାନରେ ଫାଟ ହୋଇଛି। ବର୍ଷା ହେଲେ ଉକ୍ତ ମାଟିରାସ୍ତା ଜମିଯାଉଛି। ଏଥିଯୋଗୁ ଯାନବାହନ ଚଳାଚଳରେ ସମସ୍ୟା ଉପୁଜୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଭାଗ ପକ୍ଷରୁ ଏହି ରାସ୍ତା ଖୋଳାଯାଉଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ରାସ୍ତା ବିଷୟରେ ଅବଗତ ନ ଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ବଳରାମ ସ୍ବାଇଁଙ୍କୁ ପଚାରିବାରେ ରାସ୍ତା ଖୋଳିବା ପୂର୍ବରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ କୌଣସି ଅନୁମତି ନିଆଯାଇନାହିଁ। ଏ ନେଇ ପରିମଳ ବିଭାଗ ଯନ୍ତ୍ରୀ ରଶ୍ମିରଞ୍ଜନ ଦାସ କହିଛନ୍ତି, ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତାକୁ ପଞ୍ଚାୟତ ରାସ୍ତା ବୋଲି କୁହାଯାଇଥିଲା। ପରେ କେଉଁ ରାସ୍ତା ଖୋଳାଯାଇଛି ସେ ବିଷୟରେ ସେ ଅବଗତ ନ ଥିବା କହିଛନ୍ତି।