ସୁଖାଯୋରଠାରୁ କୁରୁମକେଲ ରାସ୍ତା ଶୋଚନୀୟ

ଲେଫ୍ରିପଡ଼ା,୨୯।୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ କୁଲାବିରା ଗ୍ରାମପଞ୍ଚାୟତର ସୁଖାଯୋରଠାରୁ କୁରୁମକେଲ ବେଲସରିଆପଡା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଛି। ଏହି ରାସ୍ତାଟି ଦୀର୍ଘ ପ୍ରାୟ କୋଡିଏ ବର୍ଷ ଧରି ଏଭଳି ଶୋଚନୀୟ ଭାବେ ପଡି ରହିଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ରାସ୍ତାର ଉନ୍ନତିକରଣ ଦିଗରେ ସ୍ଥାନୀୟ ଗ୍ରାମବାସୀ ଏବଂ ପଞ୍ଚାୟତବାସୀ ତଳରୁ ଉପର ପର୍ଯ୍ୟନ୍ତ ଗୁହାରୀ କରିକରି ନୟାନ୍ତ ହୋଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ରାସ୍ତା ପାଇଁ ବାରମ୍ବାର ଗଣମାଧ୍ୟମ ଜରିଆରେ ମଧ୍ୟ ଦାବିକରି ଆସୁଥିଲେ ବି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ହୋଇପାରୁ ନ ଥିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ରାସ୍ତାଟି ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରିଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଅଞ୍ଚଳର ଜନସାଧାରଣଙ୍କ ଯାତାୟତ ପ୍ରତିଦିନ ହୋଇଥାଏ। ସ୍କୁଲ ପିଲା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଟି ବହୁତ ବଡବଡ଼ ଖାଲଖମା ହେବାରୁ ଅତୀତରେ ବହୁ ସଂଖ୍ୟାରେ ଦୁର୍ଘଟଣା ହୋଇଥିବା ମଧ୍ୟ ନଜିର ରହିଛି। ରାସ୍ତାରେ ଜନସାଧାରଣଙ୍କ ଯାତାୟାତ ସକାଶେ କେବଳ ଗ୍ରାମପଞ୍ଚାୟତ ପକ୍ଷରୁ ମୋରମ ବିଛାଇ ଆଶ୍ୱସ୍ତ କରାଯାଉଥିବାବେଳେ ଏହାର କୌଣସି ସ୍ଥାୟୀ ସମାଧାନ ହେଉ ନାହିଁ। ଅନ୍ୟ ପକ୍ଷରେ ରାସ୍ତାର ଉନ୍ନତିକରଣ ସକାଶେ ସ୍ଥାନୀୟ ଲେଫ୍ରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ହାଁସଦାଙ୍କୁ ପଚାରିବାରୁ ଏହି ରାସ୍ତାଟି ଗ୍ରାମ ପଞ୍ଚାୟତ ରାସ୍ତା ଅଟେ। ରାସ୍ତାଟିର ଲମ୍ବ ବହୁତ ଅଛି। ରାସ୍ତାର ଉନ୍ନତିକରଣ କ୍ଷେତ୍ରରେ ମାଟି ମୋରମ କାର୍ଯ୍ୟ ବେଳେବେଳେ କରାଯାଉଛି। କିନ୍ତୁ ସ୍ଥାନୀୟ ଲୋକ ଏହାକୁ ସ୍ଥାୟୀ ଭାବେ ଉନ୍ନତିକରଣ ଚାହୁଁଛନ୍ତି। ମାଟି ମୋରମ ପାଇଁ ବେଳେ ବେଳେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ ମଧ୍ୟ କରାଯାଉଛି। ଲୋକଙ୍କ ଦାବି ଅନୁଯାୟୀ ପଞ୍ଚାୟତ ପାଣ୍ଠି କିମ୍ବା ବ୍ଲକ ପାଣ୍ଠି ଦ୍ୱାରା ଏହି କାର୍ଯ୍ୟ ହୋଇପାରିବ ନାହିଁ। କାରଣ ଏହି ପାଣ୍ଠି ସବୁ ଅତ୍ୟନ୍ତ ସୀମିତ ଭାବେ ରହିଥାଏ। ତେଣୁ ଏହି ରାସ୍ତାକୁ ଯଦି ଆର୍‌ଡ଼ି ବିଭାଗକୁ ହସ୍ତାନ୍ତର କରାଯାଇପାରିବ ତେବେ ଉନ୍ନତିକରଣ ହୋଇପାରିବ। କାରଣ ଆର୍‌ଡ଼ି ବିଭାଗର ବହୁତ ବଡ଼ବଡ଼ ଯୋଜନା ରହିଛି। ତାଙ୍କର ପାଣ୍ଠି ମଧ୍ୟ ବହୁତ ରହିଛି ବୋଲି କହିଛନ୍ତି। ଅପରପକ୍ଷରେ ପୂର୍ବରୁ ରାସ୍ତା ଉନ୍ନତିକରଣ ଦିଗରେ ଅନେକ ଥର ଜିଲାପାଳଙ୍କୁ ଗୁହାରୀ କରାଯାଇଥିବାବେଳେ ଅତି ନିକଟରେ ଲେଫ୍ରିପଡ଼ା ଯୁଗ୍ମଜନ ଶୁଣାଣି କାର୍ଯ୍ୟକ୍ରମରେ ପଞ୍ଚାୟତବାସୀଙ୍କ ପକ୍ଷରୁ ପୁନର୍ବାର ଅଭିଯୋଗ କରାଯାଇଥିବା ଜଣାପଡିଛି। ତେଣୁ ଏହି ରାସ୍ତାର ଉନ୍ନତି ସକାଶେ ଜିଲାପାଳ ଏହାର ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।