ବିପଦରେ ମହାନଦୀ ମୁହାଣ ଉପକଣ୍ଠ

ମହାକାଳପଡ଼ା,୧ା୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବଙ୍ଗୋସାଗର ସଂଲଗ୍ନ ଉପକଣ୍ଠ ମହାନଦୀ ମୁହାଣ ଉପକଣ୍ଠରେ ବାଲି ଓ ପଟୁମାଟି ଜମୁଛି। ଏହାଦ୍ୱାରା ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେଉନାହିଁ। ଉପର ମୁଣ୍ଡରୁ ବନ୍ୟାଜଳରେ ଗଡ଼ି ଆସୁଥିବା ବାଲି, ପଟୁମାଟି ଜମିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସମୁଦ୍ର ମୁହାଣଠାରୁ ୩ କିମି ଦୂର ବାହାକୁଦ ଗାଁ ଫେରିଘାଟ ପର୍ଯ୍ୟନ୍ତ ବାଲି, ପଟୁମାଟି ଜମି କୁଦ ବା ପଠା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ମାଛଧରା ଡଙ୍ଗା, ଟ୍ରଲର, ଫେରିଘାଟ ଡଙ୍ଗା ଚଳାଚଳରେ ବିପଦ ସହ ଦୁର୍ଘଟଣା ଘଟୁଛି। ଅପରପକ୍ଷେ ମହାନଦୀର ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ ଓ ଅନ୍ୟ ସାମଗ୍ରୀ ନଦୀରେ ଜମିଥାଏ। ଆଗାମୀଦିନରେ ଏହି ଅଞ୍ଚଳ ନିକଟ ଆଖଡାଶାଳୀ ଗାଁ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ଯୋଜନା ରହିଛି। ଏହି ଅଞ୍ଚଳରେ ବନ୍ଦର ନିର୍ମାଣ କାର୍ଯ୍ୟକାରୀ ହେଲେ କୁଦ ବା ବାଲିପଠାରେ ବିପଦ ଦେଖାଦେବ। ତୁରନ୍ତ ଏହି ଅଞ୍ଚଳରେ ଅତ୍ୟାଧୁନିକ ମେଶିନ ଦ୍ୱାରା ଡ୍ରେଜିଂ ବା ଖନନ କରାଯିବାକୁ ଦାବି ହେଉଛି। ଅପରପକ୍ଷେ ଏହି ନଦୀରେ ପୂର୍ବରୁ ସାମୁଦ୍ରିକ ମାଛ ପ୍ରଚୁର ମିଳୁଥିଲା। ମାଛ, କଙ୍କଡ଼ା, ମଗର, ଶାଙ୍କୁଚ ଆଦି ହ୍ରାସ ପାଇବା ସହ ମତ୍ସ୍ୟଜୀବୀଙ୍କ ବ୍ୟବସାୟ କମିଥିବା ବାହାକୁଦ ଗାଁର ବହୁ ମତ୍ସ୍ୟଜୀବୀ କହିଛନ୍ତି। ମହାନଦୀ ବାଲିପଠାରେ ସାଧାରଣତଃ ଶୀତଦିନେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ। ସୂଚନାଯୋଗ୍ୟ, ଏହି ସ୍ଥାନରେ ବନ୍ଦର ନିର୍ମାଣ କ୍ଷେତ୍ର ପରିଦର୍ଶନ ପାଇଁ ରାଜ୍ୟ ପ୍ରାକ୍ତନ ମୁଖ୍ୟ ସଚିବ, ବାଣିଜ୍ୟ ସଚିବ, ୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ, ଜିଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପରିଦର୍ଶନରେ ଆସି ସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଇଛି। ଏହି ଅଞ୍ଚଳର ସମସ୍ୟା ପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ପରିବେଶପ୍ରେମୀ ଦାବି କରିଛନ୍ତି।