କୁମ୍ଭୀର ଭୟରେ ନଦୀକୂଳିଆ ଆତଙ୍କିତ

ଯାଜପୁର ଟାଉନ,୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଖରସ୍ରୋତା ନଦୀର ରାଜଘାଟଠାରୁ ତନ୍ତିଘାଇ ମଧ୍ୟରେ ଏକ କୁମ୍ଭୀର ଭୟରେ ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ କୁମ୍ଭୀରଟି ନଦୀ ପଠାରେ ଗୋରୁ ଶବ ଖାଉଥିବାବେଳେ କୁକୁରଙ୍କୁ ଟାଣି ନେଇ ଗିଳୁଥିବା ଲୋକେ ଦେଖିଥିବା କହିଛନ୍ତି। ଫଳରେ ଭୟରେ ମତ୍ସଜୀବୀ ମାଛ ଧରିବାକୁ ନଦୀ ମଧ୍ୟକୁ ଯାଉନାହାନ୍ତି। ଏପରି କି ନଦୀକୂଳିଆ ଲୋକେ ନିଜ ଗୋରୁ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀଙ୍କୁ ନଦୀ କୂଳକୁ ଭୟରେ ଛାଡୁନାହାନ୍ତି। ତୁରନ୍ତ ବନ ବିଭାଗ ଅଧିକାରୀ କୁମ୍ଭୀରକୁ ଉଦ୍ଧାର କରି ନିଜ ଅକ୍ତିଆରକୁ ନେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।