ମହାନଦୀ ଗିଳୁଛି ବହାକୁଦ କାଜୁ ଜଙ୍ଗଲ

ମହାକାଳପଡା,୧୧ା୧୦(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବହାକୁଦ ଗଁା ସଂଲଗ୍ନ ମହାନଦୀର ପଠାରେ ଥିବା କାଜୁ ଜଙ୍ଗଲ ଧ୍ୱଂସହେବାରେ ଲାଗିଛି। ଶତାଧିକ କାଜୁ ଗଛ ସମୁଦ୍ର ଜୁଆର ମାଡ଼ରେ ଭାସି ଯାଉଥିବା ଦେଖିବାକୁ ମିଳୁଛି। ଏହି କାଜୁ ଜଙ୍ଗଲ ୨୩୩ ଏକର ପରିମିତ ବାଲୁକା ଶଯ୍ୟାର ୫ ହଜାରରୁ ଅଧିକ ଗଛ ଥିଲା। ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍‌, ୨୦୧୪ ହୁଡ୍‌ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ପରି ସାମୁଦ୍ରିକ ଝଡ଼ ବାତ୍ୟାରେ ବହୁ ସଂଖ୍ୟାରେ କାଜୁ ଗଛ ସହ ବାଲୁକା ଶଯ୍ୟା ମହାନଦୀ ଗର୍ଭରେ ଲୀନହୋଇଯାଇଛି। ଆଗାମୀ କିଛିବର୍ଷ ମଧ୍ୟରେ ମହାନଦୀ ଏହି ଜଙ୍ଗଲକୁ ସମ୍ପୂର୍ଣ୍ଣ ଗିଳିବ ବୋଲି ପରିବେଶବିତ ଆଶଙ୍କା ପ୍ରକାଶ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବାରୁ ସ୍ଥଳଭାଗରେ ଜୁଆର ମାଡ଼ିଯିବାରୁ ନିକଟସ୍ଥ କୂଳ ପଠା ଧୀରେ ଧୀରେ ନଦୀଗର୍ଭକୁ ଚାଲିଯାଉଛି। ସେହିପରି ରାମନଗର ପଞ୍ଚାୟତରେ ଅନ୍ୟ ୨ଟି କାଜୁ ଜଙ୍ଗଲ ରହିଛି। ପିତାପାଟ ଗ୍ରାମ କାଜୁ ଜଙ୍ଗଲରେ ୧୮୨ ଏକର ଜମିରେ ୫ ହଜାର ଗଛ ରହିଥିବା ବେଳେ ରାମନଗର କାଜୁ ଜଙ୍ଗଲରେ ୩୫୪ ଏକର ଜଙ୍ଗଲରେ ୧୦ ହଜାର ଗଛ ରହିଛି। ଏହି ୩ କାଜୁ ଜଙ୍ଗଲ ରାଜ୍ୟ କାଜୁ ଉନ୍ନୟନ ନିଗମ ଦ୍ୱାରା ପରିଚାଳିତ ହେଉଛି। ୩ କାଜୁ ଜଙ୍ଗଲକୁ ନିଗମ ପ୍ରତିବର୍ଷ ଲକ୍ଷାଧିକ ଟଙ୍କାରେ ନିଲାମ ଦେଇଥାଏ। ସ୍ଥାନୀୟ ଅଞ୍ଚଳର ଲୋକେ କାଜୁ ଜଙ୍ଗଲ ନିଲାମ ନେଇ ଭଲ ଲାଭ କରିଥାନ୍ତି ତ ଆଉ କେଉଁ ବର୍ଷରେ କାଜୁଚାଷରେ କ୍ଷତି ସହିବାକୁ ପଡ଼େ ବୋଲି କହିଛନ୍ତି। ଏହି କାଜୁ ଜଙ୍ଗଲ ୧୯୭୨ ମସିହାଠାରୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାରା ରୋପଣ କରାଯାଇଥିଲା। ପରେ ରାଜ୍ୟ କାଜୁ ଉନ୍ନୟନ ନିଗମ ୧୯୭୯-୮୦ ମସିହାଠାରୁ ପରିଚଳନା କରିଆସୁଛି ବୋଲି କୁହାଯାଇଛି। ଏହି ୩ କାଜୁ ଜଙ୍ଗଲ ଜମିରେ କେତେଜଣ ଜବରଦଖଲକାରୀ ଘରଦ୍ୱାର ନିର୍ମାଣ କରି ସ୍ଥାୟୀ ଭାବେ ରହୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ଅନୁସୂଚିତ ଜନଜାତିର ୨୦ ଜଣ ପରିବାରକୁ ଦୁଇ ଏକର ଜମିରେ କାଜୁଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିବେ। ତେବେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର ବାୟୁ ପ୍ରଦୂଷଣ ଯୋଗୁ ପୂର୍ବ ଅପେକ୍ଷା ବହୁ ପରିମାଣରେ କାଜୁ ମଞ୍ଜି ଉତ୍ପାଦନ ହ୍ରାସ ପାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି।