ଉଛୁଳୁଛି ନଦୀ, ଗ୍ରାମବାସୀ ଆତଙ୍କିତ

ଡେରାବିଶ, ୧୭।୮(ସ୍ବ.ପ୍ର.): ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ଏହାର ଶାଖାନଦୀ ଡେରାବିଶ ବ୍ଲକ ଅଧୀନ ଲୁଣା ଓ କରାଣ୍ଡିଆରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ବ୍ଲକ ଅଧୀନ ବସୁପୁର ପଞ୍ଚାୟତ ଢିଅବସୁପୁର ଗଁାରେ ଉଭୟ ନଦୀର ବନ୍ୟାଜଳ ପ୍ରବେଶ କରିବା ଫଳରେ ଗାଁ ଦାଣ୍ଡରେ ୪ ଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିସହ ବହୁ ଲୋକଙ୍କ ଘର ଭିତରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବନ୍ୟାଜଳ ମଧ୍ୟ ପ୍ରବେଶ କରିବାରେ ଲାଗିଛି। ବସୁପୁର ଗ୍ରାମ ନିକଟରେ ନଦୀବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି କରାଣ୍ଡିଆ ନଦୀର ବନ୍ୟାଜଳ ଇନ୍ଦାଳୋ ପଞ୍ଚାୟତ ପୁରୁଷୋତ୍ତମପୁର ଗଁାରେ ପ୍ରବେଶ କରିବା ସହ ଗଁା ଦାଣ୍ଡରେ ୪ ଫୁଟ ଉଚ୍ଚତାର ପାଣି ଲହଡ଼ି ଖେଳୁଛି। ତେବେ ଲୁଣାନଦୀର ଦାନପୁରଠାରେ ବିପଦ ସଙ୍କେତ ୩୨.୫୫ ଫୁଟ ରହିଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ବନ୍ୟାଜଳ ବିପଦ ସଙ୍କେତ ଉପରେ ୩୫.୬୦ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀ ସୂଚନା ଦେଇଛନ୍ତି। ଏହି ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଗାଁର କେତେକ ବ୍ୟକ୍ତି ବନ୍ଧ ଉପରେ ଗୃହପାଳିତ ପଶୁମାନଙ୍କ ପାଇଁ ପାଲ ଟାଣି ଅସ୍ଥାୟୀ ଛାମୁଡ଼ିଆ କରିଥିବା ଦେଖିବାକୁ ମିଳିଛି। ବନ୍ୟା ସମ୍ପର୍କରେ ଜାଣିବାକୁ ଶତାଧିକ ନଦୀକୂଳିଆ ଲୋକ ଦାନପୁରଠାରେ ଥିବା ଲୁଣାସେତୁ ଉପରେ ସନ୍ଧ୍ୟାରେ ରୁଣ୍ଡ ହୋଇ ନଦୀର ଜଳପ୍ରବାହକୁ ଦେଖୁଛନ୍ତି। ବ୍ଲକ ଅଧରନ ଢିଅବସୁପୁର ଓ ପୁରୁଷୋତ୍ତମପୁର ଗଁା ପାଇଁ ପ୍ରଶାସନ ପକ୍ଷରୁ ଦୁଇଟି ଅଗ୍ନିଶମ ବିଭାଗ ଟିମ୍‌ ନିୟୋଜିତ କରାଯାଇଛି। ବିଡିଓ ନମିତା ବାରିକ ଉଭୟ ଗ୍ରାମକୁ ପରିଦର୍ଶନ କରି ଖଲୁଆ ଅଞ୍ଚଳରେ ଥିବା ଘରରୁ ଲୋକମାନଙ୍କୁ ଉଚ୍ଚା ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରିବା ସହ ମାଗଣା ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଉଭୟ ପଞ୍ଚାୟତର ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜଳସମ୍ପଦ ବିଭାଗର ସହକାରୀ ମୁଖ୍ୟଯନ୍ତ୍ରୀ ପ୍ରବୋଧ କୁମାର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରଥ, କେନ୍ଦ୍ରାପଡ଼ା ଅଧୀକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଏବଂ କନିଷ୍ଠ ଯନ୍ତ୍ରୀ ନବୀନ ପାଣିଗ୍ରାହୀ ପ୍ରମୁଖ ନଦୀବନ୍ଧକୁ ତଦାରଖ କରିବା ସହ ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତାମାନ ମହଜୁଦ ରଖିଛନ୍ତି। ସନ୍ଧ୍ୟାରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନିତା ପଟ୍ଟନାୟକଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉଭୟ ଢିଅବସୁପୁର ଓ ପୁରୁଷୋତ୍ତମପୁର ଗ୍ରାମକୁ ଯାଇ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି।