ଭାରତୀୟ ସାମୁଦ୍ରିକ ଶକ୍ତିର ଉତ୍ଥାନ

ର ଅବିଶ୍ୱାସୀ ତଥା ବିସ୍ତାରବାଦୀ ଚାଇନା ଧୀରେ ଧୀରେ ଭାରତ ମହାସାଗରରେ ତା’ର ଦବ୍‌ଦବା ବଢ଼ାଇବାରେ ଅବିରତ ପ୍ରୟାସରତ। ଦେଖୁନାହାନ୍ତି, ଚାଇନା ଭାରତର ଉତ୍ତରପଶ୍ଚିମ ଦିଗରେ ପାକିସ୍ତାନର ବେଲୁଚିସ୍ତାନରେ ଅବସ୍ଥିତ ଗ୍ବାଦର୍‌ ଓ କରାଚି, ଉତ୍ତର ପୂର୍ବରେ ମ୍ୟାନ୍‌ମାରର କ୍ୟାକପ୍ୟୁ ବନ୍ଦର, ତା’ ପରକୁ ବଙ୍ଗଳାଦେଶର ଚିଟାଗଙ୍ଗ ଓ ପୟରା ବନ୍ଦର, ଭାରତର ଦକ୍ଷିଣରେ ଶ୍ରୀଲଙ୍କାର ହମ୍ବନତୋଟା ଓ କଲମ୍ବୋ ବନ୍ଦର ଏବଂ ଦକ୍ଷିଣ ପଶ୍ଚିମରେ ମାଳଦ୍ୱୀପ ବନ୍ଦରରେ ଉନ୍ନୟନ କାର୍ଯ୍ୟ ଜାରି ରଖି ଭାରତ ଉପରେ ଚାରିପଟୁ ନଜର ରଖି ଅଡୁଆରେ ପକାଇବାକୁ ଚେଷ୍ଟାକରୁଛି। ପୁଣି ଭାରତର ପଶ୍ଚିମପଟେ ଆଫ୍ରିକାର ଅନେକ ଦେଶ ଜିମ୍ବାୱେ, କେନିୟା, ତାଞ୍ଜାନିଆ, ସୁଦାନ, ଜିବୋଟି ପ୍ରଭୃତିରେ ବନ୍ଦର ନିର୍ମାଣ ଓ ଉନ୍ନୟନ କାର୍ଯ୍ୟ ହାତକୁ ନେଇଛି। ଏମିତିକି ସୁଦୂର ଆରବ ଏମିରେଟ୍‌, ମାଲେସିଆ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ମଧ୍ୟ ବନ୍ଦର ନିର୍ମାଣ କରୁଛି, ଏଥିରେ ଚାଇନାର ଅର୍ଥନୈତିକ, ସାମରିକ ଓ କୂଟନୈତିକ ସ୍ବାର୍ଥ ନିହିତ ଅଛି। କାରଣ ଚିର ଅବିଶ୍ୱାସୀ ଚାଇନା ବିନାସ୍ବାର୍ଥରେ କୌଣସି କାମ କରେନାହିଁ। ଏମିତିକି ଅନେକ କ୍ଷୁଦ୍ର ଦେଶକୁ ଋଣଜାଲରେ ପକାଇ ସର୍ବସ୍ବାନ୍ତ କରିଦେଇଛି।
ବର୍ତ୍ତମାନ ଏସିଆରେ ତା’ର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ୱୀ ଭାରତକୁ ଅକଳରେ ପକାଇବା ଲାଗି ଭାରତ ମହାସାଗରରେ ବିଭିନ୍ନ ଦେଶର ବନ୍ଦର ଉନ୍ନୟନ ଆଳରେ ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତର ସାମରିକ କାର୍ଯ୍ୟକଳାପ ଉପରେ। ଶ୍ରୀଲଙ୍କା ବନ୍ଦରଗୁଡ଼ିକରେ ଡେରା ପକାଉଥିବା ଚାଇନାର ବିଭିନ୍ନ ପ୍ରକାର ଜାହାଜର ଅସଲ ଉଦ୍ଦେଶ୍ୟ ଭାରତର ଗତିବିଧି ଉପରେ ନଜର ରଖିବା। ଏହି ଦୃଷ୍ଟିରୁ ଭାରତ ଏବେ ଲାକ୍ଷାଦ୍ୱୀପରେ ନିଜର ସାମରିକ ଭିତ୍ତିଭୂମି ଉନ୍ନୟନ ଉପରେ ଗୁରୁତ୍ୱ ଦେଉଛି ଏବଂ ଆଣ୍ଡାମାନ ନିକୋବର ଦ୍ୱୀପରେ ମଧ୍ୟ ସାମରିକ ଭିତ୍ତିଭୂମିର ପରିବର୍ଦ୍ଧନ ନିମନ୍ତେ ବାଧ୍ୟ। ଆସନ୍ତାବର୍ଷ ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ଥିବାରୁ ସଦାସର୍ବଦା ସାହାଯ୍ୟର ହାତ ବଢ଼ାଉଥିବା ନିକଟତମ ପଡ଼ୋଶୀ ଭାରତକୁ ନାରାଜ ନ କରିବା ଉଦ୍ଦେଶ୍ୟରେ ଶ୍ରୀଲଙ୍କା ଏକବର୍ଷ ପର୍ଯ୍ୟନ୍ତ ଚାଇନା ଜାହାଜଗୁଡ଼ିକର ଶ୍ରୀଲଙ୍କାରେ ପ୍ରବେଶ ଉପରେ ରୋକ୍‌ ଲଗାଇଛି।
ସାରା ବିଶ୍ୱର ୭୫% ନୌବାଣିଜ୍ୟ ଓ କଞ୍ଚାତେଲ(ପେଟ୍ରୋଲିୟମ)ର କାରବାର ଏବଂ ଚାଇନାର ମୁଖ୍ୟ ଭାଗ ନୌପରିବହନ ଭାରତ ମହାସାଗର ମଧ୍ୟ ଦେଇ ହୁଏ। ୧୮୯୭ରେ ଆମେରିକା ନୌବାହିନୀର ଆଲଫ୍ରେଡ୍‌ ଥର କହିଥିଲେ, ଭାରତ ମହାସାଗର ଉପରେ ଯିଏ ଦବ୍‌ଦବା ରଖିପାରିବ ସିଏ ବିଶ୍ୱ ନୌବାଣିଜ୍ୟରେ ଏକ ନମ୍ବର ହୋଇପାରିବ, ଚାଇନା ଏ କଥାକୁ ଭଲଭାବେ ହୃଦୟଙ୍ଗମ କରିପାରିଛି। ପୁଣି ଚାଇନା ଆମେରିକା ଓ ଋଷ୍‌ ପରେ ଅଧୁନା ବିଶ୍ୱର ୩ୟ, ସ୍ଥଳବିଶେଷରେ ୨ୟ ବଡ଼ ନୌବାହିନୀର ଅଧିକାରୀ। ଏ ପରିପ୍ରେକ୍ଷୀରେ ଭାରତ ନିଜ ନୌବାହିନୀର ଶକ୍ତି ବୃଦ୍ଧି କରିବାକୁ ବାଧ୍ୟ। ବିଶେଷକରି ଅତ୍ୟାଧୁନିକ ବା ଯୁଗୋପଯୋଗୀ ନୌଶକ୍ତି କିମ୍ବା ଅସ୍ତ୍ରଶସ୍ତ୍ରର ଅଧିକାରୀ ହେବା ଜରୁରୀ। ତେଣୁ ୨୦୧୭ରେ ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ କାର୍ଯ୍ୟାରମ୍ଭ କରି ଭାରତ ତା’ର ୨ୟ ଆଣବିକ ବୁଡ଼ାଜାହାଜ ‘ଅରିଘାତ’ର ଜଳାବତରଣ କରିସାରିଛି ।
ପ୍ରାୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅରିଘାତର ଅର୍ଥ ଶତ୍ରୁ ବା ଅରିକୁ ମାରିଦେବା। ଏହାର ୨ୟ ଓ ଅତିଶୀଘ୍ର ୩ୟ ବୁଡ଼ାଜାହାଜ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ‘ଏସ୍‌ ୩’ ସାଙ୍କେତିକ ନାମ ଦିଆଯାଇଥିବା ଏହି ବୁଡ଼ାଜାହାଜ ଅରିଘାତର ଏକ ଉନ୍ନତତର ସଂସ୍କରଣ, ଯାହା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ୍‌ ମିଶାଇଲ ସବ୍‌ମେରାଇନ୍‌ ଶ୍ରେଣୀର। ଏଥିରେ ୮୩ ମେଗାୱାଟ୍‌ କ୍ଷମତାବିଶିଷ୍ଟ ଚାପଯୁକ୍ତ ହାଲୁକା ଜଳରିଆକ୍ଟର ଖଞ୍ଜାଯାଇଛି, ଯାହା ଏହି ଜଳଯୁଦ୍ଧ ଯାନକୁ ଅନ୍ୟ ଡିଜେଲ/ବିଦ୍ୟୁତ୍‌ ସବ୍‌ମେରାଇନ୍‌ ଅପେକ୍ଷା ଅଧିକଦିନ ଗୁପ୍ତଭାବରେ ପାଣିଭିତରେ ରହିବାର ସୁଯୋଗ ପ୍ରଦାନ କରିଥାଏ। ଜଣାଯାଏ, ଏହା ନୀରବରେ ୫୦ ଦିନ ପାଣିଭିତରେ ରହିପାରିବ। ଖାଦ୍ୟପଦାର୍ଥ ମହଜୁଦ ଠିକ୍‌ଥିଲେ ଆଣବିକ ପଣ୍ଡୁଗି, ସବ୍‌ମେରାଇନ୍‌ ବର୍ଷ ବର୍ଷ ମଧ୍ୟ ପାଣିଭିତରେ ରହିପାରିବ,ଏହା ହେଲା ଆଣବିକ ଶକ୍ତିଚାଳିତ ‘ପଣ୍ଡୁଗି’ର ବିଶେଷତ୍ୱ। ଏଥିରେ ୨ଟି ଷ୍ଟାଣ୍ଡବାଇ ଅକ୍ଜଲାରି(ସହାୟକ)ଇଞ୍ଜିନ ଓ ରିଟ୍ରାକ୍ଟେବଲ ଥ୍ରଷ୍ଟର ରହିଛି ଅଧିକ ସହାୟତା ପାଇଁ। ଏହାର ଏକ ୭ ଧାରବିଶିଷ୍ଟ ପ୍ରପେଲର(ଆଗକୁ ଠେଲିବାର ଗତିବେଗ ଦେବାର ଯନ୍ତ୍ର, ଆଣବିକ ଶକ୍ତିସମ୍ପନ୍ନ) ଏହି ବୁଡ଼ାଜାହାଜକୁ ସର୍ବାଧିକ ଗତିବେଗ, ପାଣି ଉପରେ ଥିଲାବେଳେ ୧୨-୧୫ ନଟିକାଲ ମାଇଲ ବା ଘଣ୍ଟା ପ୍ରତି ୨୨-୨୮କିମି ଓ ପାଣିଭିତରେ ବୁଡ଼ିକରି ଥିଲାବେଳେ ୨୪ ନଟସ ବା ଘଣ୍ଟା ପ୍ରତି ୪୪କିମି ବେଗ ପ୍ରଦାନ କରିଥାଏ। ଏହାର ପରୀକ୍ଷଣ ଗଭୀରତା ୩୦୦ରୁ ୪୦୦ମି. ବା ୯୮୦ ଫୁଟରୁ ୧,୩୦୦ ଫୁଟ। ଏହାର ରକ୍ଷଣାବେକ୍ଷଣ ଓ ଖାଦ୍ୟ ସରବରାହ ଠିକ୍‌ ଥିଲେ ଏହା ଅସୀମିତ ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରେ। ଅରିଘାତର ଜଳାବତରଣ ନିଶ୍ଚିତଭାବେ ଜଳପୃଷ୍ଠରୁ ଭାରତୀୟ ଆଣବିକ ଶକ୍ତି ପ୍ରୟୋଗର କ୍ଷମତା ବଢ଼ାଇଦେଇଛି ଅଗ୍ନି-୩,୪,୫; ଯାହା ଆକାଶ ଓ ଭୂପୃଷ୍ଠରୁ ନିକ୍ଷେପ କରାଯାଇପାରୁଥିଲା। ଏଣିକି ଜଳଭାଗରୁ ମଧ୍ୟ ନିକ୍ଷେପ କରାଯାଇପାରିବ। ଫଳରେ ଆଣବିକ କ୍ଷେତ୍ରରେ ଭାରତର ‘ପ୍ରଥମେ ବ୍ୟବହାର ନିଷିଦ୍ଧ’ ସିଦ୍ଧାନ୍ତ ସତ୍ତ୍ୱେ ଏହା ଶତ୍ରୁ ଆକ୍ରମଣକୁ ପ୍ରତିହତ ଓ ପ୍ରତିଆକ୍ରମଣ(ମୁକାବିଲା) କ୍ଷମତାକୁ ଅନେକ ଗୁଣରେ ବଢ଼ାଇ ଦେଇପାରିବ।
ସ୍ବଦେଶୀ ଜ୍ଞାନକୌଶଳ(୬୦%)ରେ ନିର୍ମିତ ଏହି ବୁଡ଼ାଜାହାଜରେ ସ୍ବତନ୍ତ୍ର ସ୍ବଦେଶୀ ଯନ୍ତ୍ରପାତି, ଜଟିଳ ବୈଷୟିକ ଜ୍ଞାନ, ଡିଜାଇନ୍‌, ଅତ୍ୟୁଚ୍ଚ କଳାକୁଶଳତା, ଗଭୀର ଗବେଷଣାଜନିତ ଅତ୍ୟାଧୁନିକ ବୁଦ୍ଧିବିଦ୍ୟାର ପ୍ରୟୋଗ ଫଳରେ ଏହାର ରକ୍ଷଣାବେକ୍ଷଣ, ସ୍ଥାୟିତ୍ୱ ଅନେକ ଗୁଣରେ ବଢ଼ିଯାଇଛି ଅନ୍ୟ ସବୁର ତୁଳନାରେ। ଏଥିରେ ଦେଶର ବୈଜ୍ଞାନିକ, ଇଞ୍ଜିନିୟର, ନୌବିଶାରଦ ଏବଂ ଭାରତୀୟ ଶିଳ୍ପଜଗତ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଏହାର ଜଳାବତରଣ ବା ପ୍ରତିରକ୍ଷା କ୍ଷେତ୍ରରେ ସାମିଲହେବା ଭାରତବାସୀଙ୍କୁ ଗର୍ବିତ କରିଛି। ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ପ୍ରସ୍ତୁତିରେ ବିଶ୍ୱର ଅଗ୍ରଗଣ୍ୟ ଦେଶ ଆମେରିକା, ଋଷ୍‌, ବ୍ରିଟେନ୍‌, ଚାଇନା, ଫ୍ରାନ୍ସ ପରେ ଭାରତ ୬ଷ୍ଠ ସଦସ୍ୟ ହୋଇପାରିଛି ଏହି ଗୋଷ୍ଠୀର। ଫଳତଃ ଅନେକ ନୂଆ ନୂଆ ଷ୍ଟାର୍ଟଅପ୍‌ ଓ ସହାୟକ କମ୍ପାନୀ ସୃଷ୍ଟିହେବା ସହିତ ଅନେକ କାର୍ଯ୍ୟଦିବସ ମଧ୍ୟ ସୃଷ୍ଟି ହୋଇପାରିଛି। ଅନେକ ନୂଆ ନିଯୁକ୍ତି ମଧ୍ୟ ସୃଷ୍ଟିହେଉଛି। ‘ଅରିହନ୍ତ’ର ଶୁଭାରମ୍ଭ ହୁଏ ୨୦୦୯ରେ, ଯାହା ନୌବାହିନୀରେ ସାମିଲ ହୁଏ ୨୦୧୬ରେ। ସେମିତି ‘ଅରିଘାତ’ର ଶୁଭାରମ୍ଭ ହୁଏ ୨୦୧୭ରେ, ୨୦୨୧ରେ ନୌବାହିନୀରେ ସାମିଲ ହେବାର ଥିଲେ ମଧ୍ୟ ବିସ୍ତୃତ ପରୀକ୍ଷା ନିରୀକ୍ଷା ପରେ ଏହାର ଜଳାବତରଣ ହୁଏ ୨୯ ଅଗଷ୍ଟ ୨୦୨୪ରେ। ଅଧୁନା ଆଉ ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ(୭,୦୦୦ଟନ୍‌ କ୍ଷମତାବିଶିଷ୍ଟ)ର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇଚାଲିଛି।

ଜୟନ୍ତ ପଟ୍ଟନାୟକ
ମୋ: ୯୦୯୦୧୯୦୦୬୯


Enter your email to get our daily news in your inbox.

All Right Reserved By Dharitri.Com

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

ଶରଦ ପାଓ୍ବାରଙ୍କ ହାତ ଧରି ଆଣିଲେ ମୋଦି: ରାଜନୀତିରେ ବଡ଼ ହଲହଲ

ନୂଆଦିଲ୍ଲୀ,୨୨।୭: ଜନ୍ତରମନ୍ତରରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପ୍ରତିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ ବୁଧବାର ସଂସଦ ଭବନରେ…

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri