କଟ୍‌ନୀଛଟ୍‌ନୀ ପରେ ଉଠିଲା ଧାନ

ଝାରସୁଗୁଡ଼ା ଅଫିସ,୨୨ା୧୨: ଝାରସୁଗୁଡ଼ା ସରବାହାଲ ମାର୍କେଟ ୟାର୍ଡ (ଧାନମଣ୍ଡି) ସୋମବାର ଉଦ୍‌ଘାଟନ ହେବା ପରେ ୩ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ୩୬୦ବସ୍ତା ଧାନ କିଣାଯାଇଥିଲା। ଦ୍ୱିତୀୟ ଦିନ ମଙ୍ଗଳବାର ମାର୍କେଟ୍‌ ୟାର୍ଡରେ କଟ୍‌ନୀଛଟ୍‌ନୀକୁ ନେଇ ଅଚଳାବସ୍ଥା ଦେଖାଦେଇଥିଲା। ଚାଷୀମାନେ ମଣ୍ଡିରେ ଗାଡିରେ ଧାନ ବୋଝେଇକରି ସକାଳ ୯ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଭୋକ ଉପାସରେ ପଡିରହିଥିଲେ। ସେମାନେ ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ରମେଶ ଚନ୍ଦ୍ର ଟପ୍ପୋ ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଜାଣିବା ପରେ ଧାନ ଫେରାଇନେଇ ଏଫ୍‌ଏକ୍ୟୁ ମାନର ଧାନ ଆଣିବାପାଇଁ ଯୋଗାଣ ବିଭାଗ ତରଫରୁ ଚାଷୀଙ୍କୁ କୁହାଯାଇଥିଲା। ହେଲେ ବାରମ୍ବାର ଗାଡିରେ ଧାନ ନେବାଆଣିବା କରିବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲା। ଖବରପାଇ କେତେଜଣ ଗଣମାଧ୍ୟମ ପ୍ରତିନିଧି ମାର୍କେଟ୍‌ ୟାର୍ଡରେ ପହଞ୍ଚତ୍ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲା ଯୋଗାଣ ଅଧିକାରିଣୀ ସନ୍ତୋଷିନୀ ପଣ୍ଡା ଓ କ୍ୱାଲିଟି ଆସେସ୍‌ମେଣ୍ଟ ଅଧିକାରିଣୀ ଦୀପିକା ମହାନ୍ତି ପ୍ରମୁଖ ପହଞ୍ଚତ୍ ଚାଷୀ ଓ ମିଲର୍ସଙ୍କ ସହିତ ଆଲୋଚନା କରିଥିଲେ। ଧାନର ମାନ ନିର୍ଦ୍ଧାରଣ ଓ କଟ୍‌ନୀଛଟ୍‌ନୀକୁ ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ଶେଷରେ କେତେଜଣ ଚାଷୀ କୁଇଣ୍ଟାଲ ପିଛା ୩ କିଲୋ ଓ ଆଉ କେତେଜଣ ୪କିଲୋ କଟ୍‌ନୀଛଟ୍‌ନୀ କରି ମିଲର୍ସଙ୍କୁ ଧାନ ବିକ୍ରି କରିବାପାଇଁ ବାଧ୍ୟ ହୋଇଥିଲେ। ଦ୍ୱିତୀୟ ଦିନରେ ଶ୍ରୀପୁରା ଓ ବଡମାଲ ପ୍ୟାକ୍ସର ୪ଜଣ ପଞ୍ଜୀକୃତ ଚାଷୀ ୩୯୩ କୁଇଣ୍ଟାଲ ଧାନଧରି ମାର୍କେଟ୍‌ ୟାର୍ଡରେ ପହଞ୍ଚତ୍ଥିଲେ। ମା’ କାଳୀ, ସାରଦା, ଦୁର୍ଗା ଆଗ୍ରୋ, ପବନସୂତ ଆଦି ମିଲର୍ସ ଚାଷୀଙ୍କ ନିକଟରୁ ଧାନ କିଣିଥିଲେ। ଚାଷୀଙ୍କ କହିବା କଥା ପ୍ଲାଷ୍ଟିକ୍‌ ବସ୍ତାରେ ଧାନଧରି ମାର୍କେଟ୍‌ ୟାର୍ଡକୁ ଆଣିଲେ ଏହାକୁ ମଲର୍ସମାନେ ଗ୍ରହଣ କରୁନାହାନ୍ତି। ସୁତୁଲି ବସ୍ତାରେ ଆଣିବାପାଇଁ ବାଧ୍ୟ କରୁଛନ୍ତି। ଫଳରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ଯୋଗାଣ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାପାଇଁ ଦାବି ହେଉଛି।