ଆଧାର ନ ଥିବାରୁ ଚାଉଳ ବନ୍ଦ

କେନ୍ଦୁଝର, ୪।୫ (ସ୍ବ.ପ୍ର.)-ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଗୋନାସିକା ଗ୍ରାମରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆଧାର କାର୍ଡ ନ ଥିବାରୁ ୩ ବର୍ଷ ହେଲା ସରକାରଙ୍କ ମାଗଣା ଚାଉଳ ପାଉ ନ ଥିବା ଅଭିଯୋଗ ହୋଇଛି ା ତାଙ୍କ ନାମ ରମଣୀ ପାତ୍ର। ଆଗରୁ ଚାଉଳ ମିଳୁଥିଲା। କିନ୍ତୁ ଭିନ୍ନକ୍ଷମ ଯୋଗୁ ଆଧାର କାର୍ଡ ପାଇଁ କୁଆଡେ ଯାଇ ପାରୁ ନ ଥିବାରୁ ତାଙ୍କୁ ଆଉ ଚାଉଳ ମିଳିନାହିଁ ବୋଲି ତାଙ୍କ ସାନ ଭଉଣୀ ସୁକୁମାରୀ ପାତ୍ର କହିଛନ୍ତି। ତାଙ୍କର ସୀମିତ ମଜୂରିରେ ଦୁଇ ଭଉଣୀ ପେଟ ପୋଷୁଛନ୍ତି। କଣ ରୋଗ ଜଣାପଡୁନାହିଁ। ଅଣ୍ଟା ଓ ଗୋଡରେ ସମସ୍ୟା ରହିଛି ା ଏଣୁ ଚଲାବୁଲା କରିପାରୁନାହାନ୍ତି। ସବୁ ବେଳେ ଘରେ ପଡି ରହିଛନ୍ତି ା କଷ୍ଟ ଯନ୍ତ୍ରଣା ପାଉଥିଲେ ହେଁ ଅର୍ଥାଭାବରୁ ଚିକିତ୍ସା ହୋଇପାରୁ ନାହିଁ। ଏହି ସାହିରେ ବାହା ହୋଇଥିବାରୁ ସେ ତାଙ୍କ ଭଉଣୀ ରମଣୀଙ୍କ ସବୁ କାମ କରିଦେଉଛନ୍ତି ା ତେବେ ଚାଉଳ ମିଳୁନାହିଁ କିମ୍ବା ଘର ଖଣ୍ଡେ ନାହିଁ ା ଘର ଭାଙ୍ଗି ଗଲାଣି। ଖସି ପଡିବା ଭୟ ଲାଗୁଛି । ଅନ୍ୟପକ୍ଷେ ରମଣୀ କହିଛନ୍ତି ଯେ, ମୁଁ ବହୁ କଷ୍ଟ ଯନ୍ତ୍ରଣାରେ ଅଛି। ମରିବାକୁ ଚାହିଁଲେ ମରିପାରୁନି। ଖାଇବାକୁ ମିଳୁନାହିଁ ଏଣୁ ଚିକିତ୍ସା କେଉଁଠୁ କରିବି। ଏଣୁ ଚାଉଳ ଗଣ୍ଡେ ଦେବାକୁ ରମଣୀ କହିଛନ୍ତି। ଭିନ୍ନକ୍ଷମ ପାଇଁ ବିବାହ କରିନାହାନ୍ତି। ତାଙ୍କ ଭାଇ ବିଶ୍ୱନାଥ ପାତ୍ର ମଧ୍ୟ ଭିନ୍ନକ୍ଷମ ା ତେବେ ଏନେଇ ଜିଲାପାଳ ଆଶୀଷ ଠାକରେ କହିଛନ୍ତି ଯେ ଏନେଇ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।