Categories: ଜାତୀୟ

ପରିଣାମ ଭଲ ହେବନି

ନୂଆଦିଲ୍ଲୀ,୧ା୪:ଭାରତ ସମେତ କୌଣସି ଦେଶ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ମସ୍କୋଠାରୁ ରୁବଲ ବିନିମୟରେ କାରବାର କଲେ କିମ୍ବା ଆମେରିକାର କଟକଣାକୁ ନୂ୍ୟନ କଲା ଭଳି ନିଜସ୍ବ ଦେୟ ବ୍ୟବସ୍ଥା ଆପଣାଇଲେ ପରିଣାମ ଭଲ ହେବ ନାହିଁ। ନୂଆଦିଲ୍ଲୀ ଗସ୍ତରେ ଥିବା ଆମେରିକାର ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ଗୁରୁବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ଆସିବା ପୂର୍ବରୁ ଏଭଳି ଚେତାବନୀ ଦେଇଛନ୍ତି।
ଆମେରିକା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଭାରତୀୟ ବଂଶୋଦ୍ଭବ ଦଲୀପ ନୂଆଦିଲ୍ଲୀରେ ରୁଷିଆ ବିରୋଧରେ ଖୋଲାଖୋଲି ସତର୍କ କରାଇଛନ୍ତି। ଦଲୀପ କହିଛନ୍ତି, ଚାଇନା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମଣ କଲେ ଏହାର ‘ଜୁନିୟର ପାର୍ଟନର’ ରୁଷିଆ ଭାରତକୁ ସାହାଯ୍ୟ କରିବାକୁ ଆସିବ ବୋଲି ନୂଆଦିଲ୍ଲୀ ମନେକରିବା ଅନୁଚିତ। ଦଲୀପ ଆହୁରି କହିଛନ୍ତି, ସେ ବନ୍ଧୁତା ଦୃଷ୍ଟିରୁ ଆମେରିକାର କଟକଣା ବ୍ୟବସ୍ଥା ସମ୍ପର୍କରେ କହିବା ପାଇଁ ଏଠାକୁ ଆସିଛନ୍ତି। ଆମେରିକା ସହ ମିଶି କାମ କଲେ ଉଭୟ ରାଷ୍ଟ୍ରର ସ୍ବାର୍ଥରକ୍ଷା ହେବ। କିନ୍ତୁ କଟକଣାକୁ ଅବଜ୍ଞା କଲେ ପରିଣାମ ଭଲ ହେବ ନାହିଁ।

Share