ଜଳ ଭଣ୍ଡାରରେ ପାଣି ଭର୍ତ୍ତି, କେନାଲରେ ନାହିଁ

ଖଣ୍ଡପଡ଼ା,୨୩ା୮(ସ୍ବ.ପ୍ର.): ସୁନାମୁହିଁ ଜଳ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ଜଳ ମହଜୁଦ ଅଛି। ହେଲେ କେନାଲରେ ପାଣି ଆସୁ ନ ଥିବାରୁ ଚାଷଜମି ଶୁଖିଲା ପଡିଛି। ଏହାକୁ ନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ବିଭାଗୀୟ ଅଧିକାରୀମାନେ ଏ ସଂକ୍ରାନ୍ତରେ ତୁରନ୍ତ ଦୃଷ୍ଟି ନ ଦେଲେ ଚଳିତ ବର୍ଷର ଧାନ ଫସଲ ଉଜୁଡିବ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ଗାଁରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଖଣ୍ଡପଡ଼ା ସୁନାମୁହିଁ ଜଳଭଣ୍ଡାରରୁ ଶିଖରପୁର, ବରପଲ୍ଲୀ, ଶାଳଝରିଆ, କୃଷ୍ଣପ୍ରସାଦ, ପୁରୁଣା ସାହାସପୁର ଆଦି ଗ୍ରାମର ଚାଷଜମିକୁ ଜରୁରିକାଳୀନ ପରିସ୍ଥିତିରେ ଜଳସେଚିତ କରିବାର ମହତ ଲକ୍ଷ୍ୟ ନେଇ ରାଜ୍ୟ ସରକାର କ୍ଷୁଦ୍ର ଜଳସେଚନ ବିଭାଗ ଜରିଆରେ କେନାଲ ନିର୍ମାଣ କରିଥିଲେ। ଏଥିପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଖାଲି ସେତିକି ନୁହେଁ, ପ୍ରତିବର୍ଷ କେନାଲର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ଏପରି କି କେନାଲରୁ ଘାସ କାଟିବା ପାଇଁ ଆସୁଥିବା ଅନୁଦାନକୁ ଅନିୟମିତ ଭାବେ ଖର୍ଚ୍ଚ କରାଯାଉଥିବା ଶିଖରପୁର ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କେନାଲରେ କାହିଁକି ପାଣି ଛଡ଼ା ଯାଉ ନାହିଁ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ କିଛି କହୁ ନାହାନ୍ତି। ଯଦି ଅଳ୍ପ ଦିନ ମଧ୍ୟରେ ବର୍ଷା ନ ହୁଏ କିମ୍ବା କେନାଲରେ ପାଣି ନ ଆସେ ଉପରୋକ୍ତ ଗାଁରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଅଶ୍ୱିନୀ କୁମାର ଶାନ୍ତ କହିଛନ୍ତି, କେନାଲରେ ପାଣି ଛାଡିବାର ବ୍ୟବସ୍ଥା କରାଯାଉଛି।