ଉଦ୍ଧାର ନାବାଳିକା ବର୍ଷେ ପରେ ଫେରିଲେ ନାଗାଲାଣ୍ଡ

ଖୋର୍ଦ୍ଧା ଅଫିସ,୯ା୧: ବର୍ଷେ ତଳେ ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ନାବାଳିକା ଖୋର୍ଦ୍ଧା ଜିଲା ପ୍ରଶାସନର ସହଯୋଗକ୍ରମେ ନିଜ ରାଜ୍ୟ ନାଗାଲାଣ୍ଡକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତବର୍ଷ ଫେବୃୟାରୀ ୫ରେ ଭୁବନେଶ୍ୱର ରେଲୱେ ଷ୍ଟେଶନରେ ରେଲଓ୍ବେ ଚାଇଲ୍ଡ ଲାଇନ ନାଗାଲାଣ୍ଡର ଜଣେ ନାବାଳିକାଙ୍କୁ ଏକ ଟ୍ରେନରେ ଏକାକୀ ବସିଥିବାବେଳେ ଉଦ୍ଧାର କରିଥିଲେ। ତାଙ୍କୁ ରେଳ ବିଭାଗ ଚାଇଲ୍ଡଲାଇନ ଖୋର୍ଦ୍ଧା ଜିଲା ଅତିରିକ୍ତ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ। ନାବାଳିକା ଜଣକ ସେଠାରେ ପ୍ରାୟ ୧ ବର୍ଷ ରହିଥିଲେ। ସେ ନାଗାଭାଷାରେ କଥାବାର୍ତ୍ତା କରୁଥିବାରୁ କିଛି ବୁଝି ହେଉ ନ ଥିଲା। ତେଣୁ ତାଙ୍କ ପରିଚୟ ମିଳିବା ପର୍ଯ୍ୟନ୍ତ ଶିଶୁ ମଙ୍ଗଳ ସମିତିରେ ରଖାଯାଇଥିଲା। ତେବେ ଖୋର୍ଦ୍ଧା ଶିଶୁ ସୁରକ୍ଷା ୟୁନିଟର ଶିଶୁ ପରାମର୍ଶଦାତ୍ରୀ ମନସ୍ବିନୀ ମହାପାତ୍ର ଏହି ନାବାଳିକାଙ୍କ ସମସ୍ତ ଦାୟିତ୍ୱ ନେଇଥିଲେ। ତାଙ୍କ ସହ ବିଭିନ୍ନ ସମୟରେ ଓଡ଼ିଆରେ କଥା ହେବା ଦ୍ୱାରା ଧୀରେ ଧୀରେ ସେ ଓଡ଼ିଆ ଭାଷା ବୁଝିଥିଲେ। ବର୍ଷକ ପରେ ଅର୍ଥାତ ଏବେ ଜଣାପଡ଼ିଲା, ସେ ନାଗାଲାଣ୍ଡର ଝିଅ। ତାଙ୍କ ପରିବାର ମଧ୍ୟରେ ମନୋମାଳିନ୍ୟ ଯୋଗୁ ସେ ଏକାକୀ ରହିବାକୁ ମନସ୍ଥ କରିଥିଲେ। ଜଣେ ବନ୍ଧୁଙ୍କ ସହଯୋଗରେ ଘରୁ ବାହାରି ଆସିିଥିଲେ। ତାଙ୍କ ପାଇଁ ବନ୍ଧୁଜଣକ ଦିମାପୁରରୁ କେରଳ ଆସିବା ଲାଗି ଟ୍ରେନ ଟିକେଟ କରିଦେଇଥିଲେ। ଗତବର୍ଷ ଫେବୃୟାରୀ ୫ରେ ସେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲେ। କିନ୍ତୁ ତାଙ୍କର ଏହି ଅଞ୍ଚଳ ପ୍ରତି କୌଣସି ଜ୍ଞାନ ନ ଥିବାରୁ ସେ ବିଭିନ୍ନ ଲୋକଙ୍କୁ ବାଙ୍ଗାଲୋର ଯିବାକୁ କେଉଁ ଟ୍ରେନରେ ଯିବେ ବୋଲି ପଚାରିଥିଲେ। ନାବାଳିକାଙ୍କ ଗତିବିଧି ଲକ୍ଷ୍ୟ କରି ସନ୍ଦେହ ହେବାରୁ ରେଲଓ୍ବେ ଚାଇଲ୍ଡ ଲାଇନ ତାଙ୍କୁ ସେଠାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ। ନାବାଳିକାକୁ ପରାମର୍ଶଦାତ୍ରୀ ମହାପାତ୍ର କାଉନସେଲିଂ କରିବାରୁ ସବୁ କଥା ଜାଣିବାକୁ ପାଇଥିଲେ। ତେବେ ସେ ପୁରୁଣା କଥାକୁ ଭୁଲି ଘରକୁ ଫେରିବାକୁ ଚାହୁଁଥିବା ମହାପାତ୍ରଙ୍କ ଆଗରେ ପ୍ରକାଶ କରିଥିଲେ। ମହାପାତ୍ର ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବାରୁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନାବାଳିକାଙ୍କୁ ଶନିବାର ନାଗାଲାଣ୍ଡ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି। ସେଠାର ଶିଶୁ ମଙ୍ଗଳ ସମିତି ତାଙ୍କ ପିତାମାତାଙ୍କ ସହିତ ଆଲୋଚନା କରି ନାବାଳିକାଙ୍କୁ ହସ୍ତାନ୍ତର କରିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି।