ନନ୍ଦନକାନନକୁ ଆସିଲା ଉଦ୍ଧାର ଗାଡ଼ଭାଲୁ

ବାରଙ୍ଗ,୯।୧(ଡି.ଏନ୍‌.ଏ.): ଢେଙ୍କାନାଳ ଡିଭିଜନ କପିଳାସ ରେଞ୍ଜରୁ ଉଦ୍ଧାର ମାଈ ଗାଡ଼ଭାଲୁ ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛି। ଭାଲୁର ଦେହ ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ସେ ଠିକରେ ଚାଲି ପାରୁନାହିଁ। ସେ ଅସୁସ୍ଥ ଥିବାରୁ କର୍ତ୍ତୃପକ୍ଷ ପ୍ରଥମେ ବନ୍ୟପ୍ରାଣୀ ଚିକିତ୍ସାଳୟରେ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ କ୍ବାରେଣ୍ଟାଇନ୍‌ର ପୃଥକୀକରଣ ଏନ୍‌କ୍ଲୋଜରରେ ଭାଲୁକୁ ଛଡାଯାଇଛି। ସାଧାରଣତଃ ଏହି ପ୍ରଜାତିର ଗାଡ଼ଭାଲୁ ଭାରତ, ଦକ୍ଷିଣ ପଶ୍ଚିମ ଏସିଆ ଓ ଆଫ୍ରିକାରେ ଦେଖାଯାଆନ୍ତି। ଏମାନଙ୍କ ଶରୀର ଭାଲୁପରି, ଗୋଡ଼ଗୁଡ଼ିକ ଛୋଟ, ଶରୀର ରଙ୍ଗ କଳା ଓ ଏକ ଧଳା ରଙ୍ଗର ଚଉଡ଼ା ପଟି ଆଖିର ଠିକ୍‌ ଉପରୁ ବାହାରି ଲାଞ୍ଜ ପର୍ଯ୍ୟନ୍ତ ଲମ୍ବିଥାଏ।