୧୩ରେ ‘ଦିବ୍ୟ କାଶୀ-ଭବ୍ୟ କାଶୀ’ର ଲୋକାର୍ପଣ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ପ୍ରାଚୀନ ଧାର୍ମିକ ସହର କାଶୀ ବିଶ୍ୱନାଥ ଧାମର ସୌନ୍ଦର୍ଯ୍ୟକରଣ ଓ ସାମଗ୍ରିକ ବିକାଶ କାର୍ଯ୍ୟ ‘ଦିବ୍ୟ କାଶୀ-ଭବ୍ୟ କାଶୀ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖରେ ଲୋକାର୍ପଣ କରିବେ। ସାରା ଦେଶରୁ ଧର୍ମାଚାର୍ଯ୍ୟ, ସାଧୁସନ୍ଥ, ଜ୍ଞାନିଗୁଣି, ପ୍ରବୁଦ୍ଧଜନ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ବୁଧବାର ରାଜ୍ୟ ଭାଜପା କାର୍ଯ୍ୟାଳରେ ଆୟୋଜିତ ଖବରଦାତା ସମ୍ମିଳନୀରେ କାର୍ଯ୍ୟକ୍ରମ ସଂଯୋଜକ ନୟନ କିଶୋର ମହାନ୍ତି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଉକ୍ତଦିନ ଦେଶର ସମସ୍ତ ଜ୍ୟୋତିର୍ଲିଙ୍ଗଙ୍କ ନିକଟରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ। ଦେଶର ପ୍ରାୟ ୫୧ ହଜାର ସ୍ଥାନରେ ବଡ ପରଦା ଲଗାଯାଇ ‘ଦିବ୍ୟ କାଶୀ-ଭବ୍ୟ କାଶୀ’ କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେବ। ଓଡିଶାରେ ମଧ୍ୟ ସମସ୍ତ ମଣ୍ଡଳର ଶିବାଳୟଗୁଡିକରେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି। ୯ ତାରିଖରେ ପ୍ରଭାତ ପରିକ୍ରମା ୧୦,୧୧ ଓ ୧୨ରେ ମଠ, ମନ୍ଦିର, ଆଶ୍ରମ, ଧାର୍ମିକ ସ୍ଥଳରେ ସ୍ବଚ୍ଛତା ଅଭିଯାନ କରାଯିବ। କାଶୀରେ ମଧ୍ୟ ସ୍ବଚ୍ଛତା ଅଭିଯାନ ୫ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପାର୍ଟି ସ୍ତରରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଏହା ୧୩ ତାରିଖରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ। ୧୪ ତାରିଖରେ ଭାଜପା ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯିବ ବୋଲି ମହାନ୍ତି ସୂଚନା ଦେଇ କହିଛନ୍ତି। ଖବରଦାତା ସମ୍ମିଳନୀରେ ‘ଦିବ୍ୟ କାଶୀ-ଭବ୍ୟ କାଶୀ’ ସଂଯୋଜକ ଶାରଦା ପ୍ରସାଦ ଶତପଥୀ ଓ ଗଣମାଧ୍ୟମ ସଂଯୋଜକ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।