Categories: ମେଟ୍ରୋ

ନୟାପଲ୍ଲୀ ହଜର ପୁନରୁଦ୍ଧାର ଅଧାପନ୍ତରିଆ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବିଏମ୍‌ସି ଦ୍ବାରା ଏକାଧିକ ଜଳାଶୟ ଓ ପୋଖରୀର ପୁନରୁଦ୍ଧାର କରାଯିବା ସହ ବିକାଶ ଜାରି ରହିଛି। ଏହି କ୍ରମରେ ନୟାପଲ୍ଲୀର ସର୍ବପୁରାତନ ଜଳାଶୟ ନୟାପଲ୍ଲୀ ହଜର ପୁନରୁଦ୍ଧାର ଜାରି ରହିଛି। ପ୍ରାୟ ୪ ଏକର ପରିମିତ ଜାଗାରେ ଏହି ବିକାଶ ଚାଲିଥିବାବେଳେ ଏଥିଲାଗି ପ୍ରାୟ ୪କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଜବରଦଖଲ ହଟା ନ ଯାଇ ଏହି ବିକାଶ କାର୍ଯ୍ୟ କରାଯାଉଥିବାରୁ ଏହା ଅଧାପନ୍ତରିଆ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ହଜ ପୋଖରୀର ଜମି ଏବଂ ୧୦ ନମ୍ବର ପ୍ରାକୃତିକ ନାଳକୁ ଜବରଦଖଲମୁକ୍ତ କରି ବିକାଶ କରିବାକୁ ଜାତୀୟ ସବୁଜ ନ୍ୟାୟାଧିକରଣ (ଏନଜିଟି)ର କୋଲାକାତାସ୍ଥିତ ପୂର୍ବାଞ୍ଚଳ ଜୋନ ବିଏମ୍‌ସି ଓ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ନିର୍ଦ୍ଦେଶକୁ ଇତିମଧ୍ୟରେ ୨ମାସ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କାହା ସ୍ବାର୍ଥରେ ଜବରଦଖଲ ଉଚ୍ଛେଦ କରୁନାହାନ୍ତି, ସେନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ହଜ ପୋଖରୀ, ୧୦ ନମ୍ବର ନାଳ ଜବରଦଖଲ ଏବଂ ପ୍ରଦୂଷଣ ନେଇ ୨୦୨୨ରେ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚରୁ ବିଏମ୍‌ସି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ମିଳିବା ସତ୍ତ୍ବେ ଏ ନେଇ କୌଣସି ପଦକ୍ଷେପ ନେବାକୁ ଅଧିକାରୀ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଏମ୍‌ସି ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କୁ ଜବରଦଖଲ ଉଚ୍ଛେଦ କଥା ପଚାରିବାରୁ ସେ ଏନେଇ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି। ଅପରପକ୍ଷେ ଅବହେଳିତ ହୋଇପଡ଼ି ରହଥିବା ନୟାପଲ୍ଲୀ ହଜର ବିକାଶ ଫଟୋ ଛାଡ଼ି ବିଏମ୍‌ସି ଏବେ ପ୍ରଶଂସା ସାଉଁଟିବାକୁ ଚେଷ୍ଟା କରୁଛି। ମାତ୍ର ବାସ୍ତବରେ ହଜକୁ ପୁର୍ଣ୍ଣତଃ ଜବରଦଖଲରୁ ହଟାଇବାରେ ବିଫଳ ହୋଇଛି। ୧୯୬୧ ମସିହାର ସାବକ ଖାତା ନମ୍ବର ୩୫୫ରେ ଏହି ହଜର ପରିସୀମା ୭ ଏକର ଥିଲା। ପରେ ୨୦୧୧ ହାଲ୍‌ ଖାତା ନମ୍ବର ୧୧୫୫ରେ ୩.୯୩୪ ଏକର ଜାଗା ସୂଚାଇ ଦିଆଗଲା। ତେବେ ବାକି ୩ ଏକର କୁଆଡ଼େ ଗଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ବିଏମ୍‌ସିକୁ ପ୍ରଶ୍ନ କରିଛନ୍ତି। ଜଳାଶୟ ଜମିକୁ କିଏ ଜବରଦଖଲ କଲା ଓ କାହା ସ୍ବାର୍ଥରେ ବିଏମ୍‌ସି ଏଥିପ୍ରତି ଦୃଷ୍ଟି ଦେଉନାହିଁ ଭଳି ପ୍ରଶ୍ନ ସାମ୍‌ନାକୁ ଆସିଥିବାବେଳେ ତୁରନ୍ତ ଜଳାଶୟକୁ ଜବରଦଖଲ ମୁକ୍ତ ନ କଲେ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।