କୁପୋଷଣମୁକ୍ତ ସମାଜ ଗଠନର ବାସ୍ତବତା

ଜାତୀୟ ପରିବାର ସର୍ଭେ-୫ ରିପୋର୍ଟ ଅନୁସାରେ ଭାରତବର୍ଷରେ ଜନ୍ମରୁ ୫ ବର୍ଷ ବୟସର ୩୨ ପ୍ରତିଶତ ଶିଶୁ କୁପୋଷଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ଏହା ୨୯.୭ ପ୍ରତିଶତ। ଜାତୀୟ ହାରଠୁ ଯଦିଓ ଓଡ଼ିଶା ଟିକିଏ ଭଲ ସ୍ଥିତିରେ ଅଛି ତଥାପି ୧୬ଟି ଜିଲାରେ କୁପୋଷଣର ହାର ଜାତୀୟ ହାରଠାରୁ ଅଧିକ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାର ଏହି ହାର ଖୁବ୍‌ ଚିନ୍ତାଜନକ। ରାଜ୍ୟରେ ଜନ୍ମରୁ ୫ ବର୍ଷ ବୟସ ମଧ୍ୟରେ ବୟସ ଅନୁସାରେ କମ୍‌ ଉଚ୍ଚତା ଥିବା ଶିଶୁ ୨୦୧୫-୧୬ରେ ୩୪.୧ ଶତକଡା ଥିବାବେଳେ ୨୦୧୯-୨୦କୁ ଏହା ମାତ୍ର ୩ ପ୍ରତିଶତ କମି ୩୧ ପ୍ରତିଶତ ହୋଇଛି। ସେହିଭଳି ବୟସ ଅନୁସାରେ କମ୍‌ ଓଜନ ଥିବା ଶିଶୁ ଏହି ସମୟ ମଧ୍ୟରେ ୨୦.୪ ପ୍ରତିଶତରୁ ୧୮.୧ ଶତକଡ଼ାକୁ ଖସିଥିବା ଜଣାଯାଏ। ଉଚ୍ଚତା ଅନୁସାରେ କମ୍‌ ଓଜନ ଥିବା ଶିଶୁ ଦେଖିଲେ ଏହି ସମୟ ମଧ୍ୟରେ ୬.୪ ଶତକଡାରୁ କମି ୬.୧ ପ୍ରତିଶତରେ ପହଞ୍ଚିଛି ଯାହାକି ମାତ୍ର ୦.୩ ପ୍ରତିଶତ କମ୍‌। ୫ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରେ କୁପୋଷଣରେ ନବରଙ୍ଗପୁର ଜିଲା ରାଜ୍ୟରେ ସର୍ବାଗ୍ରେ ଥିବାବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ, ମାଲକାନଗିରି, ରାୟଗଡା ଇତ୍ୟାଦି ଜିଲାର ସ୍ଥିତି ସାଂଘାତିକ। ଏଠାକାର ପାଖାପାଖି ୪୦ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର ହେଉଥିବା ଜଣାଯାଏ। ଠିକ୍‌ ସେହିପରି ବୌଦ୍ଧ, ନୂଆପଡା, ବଲାଙ୍ଗୀର, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ ଇତ୍ୟାଦି ଜିଲାର କୁପୋଷଣ ହାର ୩୫ ପ୍ରତିଶତ ଉପରେ। ଜାତୀୟ ହାରଠାରୁ ଉପରେ ଥିବା ଅନ୍ୟ ଜିଲା ସବୁ ହେଲା ସୁନ୍ଦରଗଡ଼, ସୁବର୍ଣ୍ଣପୁର, ଗଜପତି, ଦେବଗଡ, କଳାହାଣ୍ଡି ଏବଂ କୋରାପୁଟ।
କିଛିଦିନ ତଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଧାନସଭାରେ ମଧ୍ୟ ତଥ୍ୟ ଦେଇ ଓଡ଼ିଶାରେ ମୋଟ୍‌ ୧୩,୨୯୭ଜଣ ଶିଶୁ ସାଂଘାତିକ କୁପୋଷଣ ପରିସରଭୁକ୍ତ ବୋଲି ଦର୍ଶାଇଛନ୍ତି, ଯାହାକି କିଛି କମ୍‌ ନୁହେଁ। କୁପୋଷଣକୁ ହ୍ରାସ କରିବା ନିମିତ୍ତ ଯେ ସରକାର କିଛି କରୁ ନାହାନ୍ତି ତାହା ନୁହେଁ। ଏହା ଭିତରେ ରାଜ୍ୟର କୁପୋଷଣ ହାର କମାଇବା ସକାଶେ ସରକାର ସର୍ବମୋଟ ୨୨ଟି ଜିଲାର ୧୨୫ ଅଧ୍ୟୁଷିତ ବ୍ଲକରେ ସୋପାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏଥି ସକାଶେ ଆଗାମୀ ୫ବର୍ଷ ମଧ୍ୟରେ ୧ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବା ସକାଶେ ଅଟକଳ କରାଯାଇଅଛି। ଏଥିରେ ସରକାର ଶିଶୁ ସମେତ ଗର୍ଭବତୀ ତଥା ପ୍ରସୂତି ମା’ ଓ କିଶୋରୀ ବାଳିକାମାନଙ୍କୁ ମଧ୍ୟ ସାମିଲ କରିଛନ୍ତି। ଅଧ୍ୟୁଷିତ ଇଲାକାରେ କ୍ରେଚ୍‌ କେନ୍ଦ୍ର ଖୋଲାଯାଇ ୦-୩ ବର୍ଷର ପିଲାମାନଙ୍କୁ ଖାଇବାର ବ୍ୟବସ୍ଥା କରିବା ସହିତ ସ୍ବାସ୍ଥ୍ୟ ପରୀକ୍ଷା ତଥା ଯତ୍ନ ଉପରେ ଗୁରୁତ୍ୱ ଦିଆଯାଉଅଛି। କୁପୋଷଣକୁ ଶୀଘ୍ର ଚିହ୍ନଟ ନିମନ୍ତେ ଓଜନ ଉତ୍ସବ ପାଳନ କରାଯାଉଅଛି। ବାର୍ଷିକ ପୋଷଣ ସର୍ଭେ ମାଧ୍ୟମରେ ପୋଷଣର ସୂଚକାଙ୍କ ପ୍ରସ୍ତୁତି ତଥା ଏଥିରେ ସୁଧାର ନିମିତ୍ତ ପରିକଳ୍ପନା କରାଯାଉଅଛି। ଜାତୀୟ ପୋଷଣ ମିଶନ ମଧ୍ୟ କେନ୍ଦ୍ର ସରକାର ୨୦୧୮ରୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଶିଶୁମାନଙ୍କର ନିୟମିତ ଉଚ୍ଚତା, ଓଜନ ବୃଦ୍ଧି ଇତ୍ୟାଦି ଯାଞ୍ଚ ନିମିତ୍ତ ପ୍ରତ୍ୟେକ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାସିକ ଟ୫୦୦/- ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଅଛି। ଗୋଷ୍ଠୀ ସ୍ତରରେ ପ୍ରତି ମାସ ୮ ଏବଂ ୨୨ ତାରିଖରେ କାର୍ଯ୍ୟକ୍ରମର ଆୟୋଜନ, ରକ୍ତହୀନତା, ତରଳଝାଡ଼ା ଇତ୍ୟାଦିକୁ ପ୍ରତିହତ କରିବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ପରିପୂରକ ଖାଦ୍ୟ ବଣ୍ଟନ ଏକ ପ୍ରମୁଖ କାର୍ଯ୍ୟ।
ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ କୁପୋଷଣ ଦୂର ନିମନ୍ତେ ସାମାଜିକ ସଚେତନତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିଥିବା ବେଳେ ଏଥି ନିମିତ୍ତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏ ଦିଗରେ ସଚେତନତା ସୃଷ୍ଟି ନିମନ୍ତେ ସେପ୍ଟେମ୍ବର ମାସକୁ ପୋଷଣ ମାସ ରୂପେ ପାଳନ କରିବାକୁ ଘୋଷଣା କରିଛନ୍ତି। ଅପପୁଷ୍ଟିର କାରଣ ମଧ୍ୟରେ ଅପପୁଷ୍ଟି ଚକ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜନ୍ମ ସମୟରେ ଗୋଟିଏ ଶିଶୁର ଓଜନ କମ୍‌ ଅଛି ଏବଂ ସେ ଉପଯୁକ୍ତ ସେବା ଯତ୍ନ ପାଉନାହିଁ ତେବେ ତା’ର ଶିଶୁ ସ୍ବାସ୍ଥ୍ୟ, କୈଶୋର ସ୍ବାସ୍ଥ୍ୟ ଏବଂ ସର୍ବୋପରି ଝିଅ ହୋଇଥିଲେ ତା’ର ମାତୃ ସ୍ବାସ୍ଥ୍ୟ ପ୍ରଭାବିତ ହେବ ଓ ସେ ପୁନର୍ବାର ଏକ କମ୍‌ ଓଜନର ଶିଶୁ ଜନ୍ମ ଦେବ। ଏହା ହେଉଛି ଅପପୁଷ୍ଟି ଚକ୍ର ଏବଂ ଏହି ଅପପୁଷ୍ଟି ଚକ୍ରର କାରଣ ମଧ୍ୟରେ ଦାରିଦ୍ର୍ୟ ଏକ ପ୍ରମୁଖ କାରଣ। ତେଣୁ ଏହି ଚକ୍ରକୁ କୌଣସି ନା କୌଣସି ଜାଗାରେ ଭାଙ୍ଗିବାକୁ ପଡିବ। ପୁରୁଷ କୈନ୍ଦ୍ରିକ ସମାଜ ଯୋଗୁ ସମାଜରେ ଲିଙ୍ଗଗତ ଅସମାନତା ରହିଥିବାରୁ ଯୌତୁକ ରାକ୍ଷସ ଭୟରେ ଝିଅକୁ ଏକ ବୋଝ ହିସାବରେ ପ୍ରାୟତଃ ଗଣନା କରାଯାଇଥାଏ। ତେଣୁ ଝିଅ ଜନ୍ମ ହେବା ଦିନଠାରୁ ମା’ବାପା ଝିଅକୁ ବାହା କେମିତି ଦେବେ ସେହି ଚିନ୍ତାରେ ଥା’ନ୍ତି। ବାଲ୍ୟବିବାହ ଆଜି ମଧ୍ୟ ଅନେକ ଇଲାକାରେ ବଳବତ୍ତର ରହିଛି। ବାଲ୍ୟବିବାହ ଶିଶୁ ଅପପୁଷ୍ଟିର ମଧ୍ୟ ଏକ କାରଣ। ଉପଯୁକ୍ତ ଭାବରେ ଶାରୀରିକ ବୃଦ୍ଧି ଘଟି ନ ଥିବା ଜଣେ ମା’ ଯଦି ଶିଶୁଟିଏ ଜନ୍ମ ଦେବ ସେ ଶିଶୁ ସମୟ ପୂର୍ବରୁ ଜନ୍ମ ହେବା ସହିତ କମ୍‌ ଓଜନର ହେବା ଯଥେଷ୍ଟ ସମ୍ଭାବନା ରହିଛି। ପୁଷ୍ଟିହୀନତା ସକାଶେ ଅନେକ ସମସ୍ୟା ଯଥା ବିଶୁଦ୍ଧ ପାଣି, ପରିମଳ ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ସୁରକ୍ଷା, କର୍ମନିଯୁକ୍ତି ଏବଂ ସାମାଜିକ ସୁରକ୍ଷା ଦାୟୀ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଆକଳନ ଅନୁସାରେ ପୁଷ୍ଟିହୀନତାର ୫୦ପ୍ରତିଶତ ସ୍ବାସ୍ଥ୍ୟବୋଝ କେବଳ ପରିବେଶ ଯୋଗୁ ହିଁ ବିଶେଷ କରି ବିଶୁଦ୍ଧ ଜଳ ତଥା ପରିମଳ ଏବଂ ଅତୁଟ ସ୍ବାସ୍ଥ୍ୟ ଅଭାବରୁ ହିଁ ଆସିଥାଏ।
ଚିରନ୍ତନ ବିକାଶ ଲକ୍ଷ୍ୟରେ ସ୍ଥାନିତ ୧୭ଟି ଲକ୍ଷ୍ୟ ମଧ୍ୟରୁ୧୨ଟି ଲକ୍ଷ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପୋଷଣ ସହିତ ସମ୍ପୃକ୍ତ। ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରତ୍ୟେକ ବୁଧବାର ଟିକାକରଣ ଦିବସ, ମାସର ଯେକୌଣସି ମଙ୍ଗଳବାର ବା ଶୁକ୍ରବାର ମମତା ଦିବସ ପାଳନ, ପ୍ରତିମାସ ୧୫ ତାରିଖକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଷ୍ଟିକର ଦିବସ ରୂପେ ପାଳନ କରିବା ଭିନ୍ନ ଜାତୀୟ ସ୍ବାସ୍ଥ୍ୟ ମିଶନ ଆନୁକୂଲ୍ୟରେ ପ୍ରତ୍ୟେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଷ୍ଟି ପୁନର୍ବାସ କେନ୍ଦ୍ର ଅପପୁଷ୍ଟିକୁ କମାଇବା ନିମନ୍ତେ ସହାୟକ ହେବା ପାଇଁ ଖୋଲା ଯାଇଅଛି। ଏତଦ୍‌ ଭିନ୍ନ ଆଶାକର୍ମୀମାନଙ୍କୁ ଅପପୁଷ୍ଟି ଯାଞ୍ଚ ତଥା ଅପପୁଷ୍ଟିର ଶିକାର ହେଉଥିବା ଶିଶୁମାନଙ୍କର ଗୃହ ପରିଦର୍ଶନ କରି ସ୍ବାସ୍ଥ୍ୟରେ ଉନ୍ନତିର ତଦାରଖର ଦାୟିତ୍ୱ ଦିଆଯାଇଅଛି। ଓଡ଼ଶା ଜୀବିକା ମିଶନ ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁଷ୍ଟି ବଗିଚା କରିବାକୁ ଉତ୍ସାହିତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଘରେ ଘରେ ପୁଷ୍ଟି ବଗିଚା ହେଲେ ମା’ମାନେ, ଶିଶୁମାନେ ଉପଯୁକ୍ତ ଖାଦ୍ୟ ପାଇବାରେ ସମର୍ଥ ହେବେ ଏବଂ ପୁଷ୍ଟିହୀନତାକୁ ଅନେକ ମାତ୍ରାରେ ପ୍ରତିହତ କରିହେବ।
ପୁଷ୍ଟିହୀନତାକୁ ରୋକିବା ନିମିତ୍ତ ସଚେତନତା ସହିତ ଉପଯୁକ୍ତ ନୀତିର ଆବଶ୍ୟକତା ରହିଛି। ତା’ ସହିତ ପୁଷ୍ଟିହୀନତାକୁ ରୋକିବା ନିମନ୍ତେ ଯେତିକି ଯୋଜନା କାର୍ଯ୍ୟକାରୀ ହେଉଛି ତାହା କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିବିଶେଷ ଯଦି ନିଷ୍ଠାପର ଭାବରେ କାମ କରନ୍ତି ତା’ ହେଲେ ପୁଷ୍ଟିହୀନତାର ସ୍ତରକୁ ଅନେକ ମାତ୍ରାରେ କମାଇବାରେ ସକ୍ଷମ ହୋଇ ପାରନ୍ତା।

  • ରାଜୀବ ନାୟକ
    ପଦରପଡ଼ା, ବୌଦ୍ଧ
    ମୋ:୯୪୩୭୫୭୧୮୩୧

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri