ବାସ୍ତବତା ପ୍ରତିଫଳିତ ହୋଇନି: ବିରୋଧୀ

ଭୁବନେଶ୍ୱର,୬ା୭(ବ୍ୟୁରୋ): ୨୦୨୨-୨୩ ବଜେଟରେ ବାସ୍ତବତା ପ୍ରତିଫଳିତ ହୋଇନି। ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। ସରକାର ପ୍ରଗତିଶୀଳ ବଜେଟ ଆଣିଛନ୍ତି। ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଅର୍ଥ ବ୍ୟବସ୍ଥା କରାଯାଇଥିବା ସରକାରୀ ଦଳ ପକ୍ଷରୁ କୁହାଯାଇଛି।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପରେ ଗୃହରେ ଆଲୋଚନା ଆରମ୍ଭ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏଥିରେ ଭାଗ ନେଇ କହିଛନ୍ତି, ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ଆର୍ଥିକ ସମ୍ବଳ ବଢ଼ିଛି ବୋଲି ସରକାର ଯେଉଁ କଥା କହୁଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ। ଖଣି ମାଫିଆ ଓ ଲିଜ୍‌ଧାରୀଙ୍କୁ ଦୁର୍ନୀତି ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଉଚ୍ଚମାନଯୁକ୍ତ ଖଣିଜ ପଦାର୍ଥକୁ ନିମ୍ନମାନର ଦର୍ଶାଇ ସରକାର ବିକ୍ରି କରୁଛନ୍ତି। ଏଥିରେ ବଡ଼ଧରଣର ଦୁର୍ନୀତି ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସରକାର କୌଣସି ଉଦ୍ୟମ କରିନାହାନ୍ତି। ଏଥିପାଇଁ ଦୀର୍ଘମିଆଦୀ ଯୋଜନା ନାହିଁ। କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ। ଆର୍ଥିକ ପ୍ରୋତ୍ସାହନ ଦେବାରେ ମଧ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ବଜେଟକୁ ସମର୍ଥନ ଜଣାଇବା ସହ ଏହାକୁ ଅଭିବୃଦ୍ଧି ଓ ଗତିଶୀଳ ବଜେଟ ବୋଲି କହିଛନ୍ତି। ଖାଦ୍ୟ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ଯୋଗୁ ଏହା ସମ୍ଭବ ହୋଇଛି ବୋଲି କହିବା ସହ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଯେଉଁସବୁ ବିଭାଗରେ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି ତାହାର ଠିକଣା ବିନିଯୋଗ ହେବା ଦରକାର ବୋଲି ପ୍ରସ୍ତାବ ଦେଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବରଗଡ଼ ଆଦି ଜିଲାର ୨୦ଟି ବ୍ଲକରୁ ଅନେକ ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ଅନାହାର ମୃତ୍ୟୁ ଅଭିଯୋଗ ହେଉଛି। ହୀରାକୁଦ ଡ୍ୟାମ୍‌ରୁ ଶିଳ୍ପପତିଙ୍କୁ ସରକାର ପାଣି ବିକ୍ରି କରୁଛନ୍ତି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଡ୍ୟାମ୍‌ରୁ ପାଣି ଛଡ଼ାଯାଉ ନ ଥିବା ବେଳେ ରିଜର୍ଭ ଡ୍ୟାମ୍‌ରୁ ପାଣି ଶିଳ୍ପ ସଂସ୍ଥାକୁ ଦିଆଯାଉଛି। ରାଜ୍ୟର ୩୧୪ ବ୍ଲକରେ ୩୫% ଜଳସେଚନ ପାଇଁ ସରକାର କହିଥିଲେ। ହେଲେ ବଲାଙ୍ଗୀର ଜିଲାରେ ମାତ୍ର ୪% ଅଞ୍ଚଳରେ ଜଳସେଚନ କରାଯାଇଛି। ଏହି ଆଲୋଚନାରେ ବିଜେଡି ସଭ୍ୟ ଧ୍ରୁବ ଚରଣ ସାହୁ, ସୁବାସ ଚନ୍ଦ୍ର ବେହେରା, କିଶୋର ଚନ୍ଦ୍ର ନାଏକ, ପ୍ରଫୁଲ୍ଲ ସାମଲ ଏବଂ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ପ୍ରମୁଖ ଭାଗ ନେଇଥିଲେ।