ତିନି ଦିନରେ ରିପୋର୍ଟ ଦେବେ ଆର୍‌ଆଣ୍ଡ୍‌ବି ଅଧୀକ୍ଷଣ ଯନ୍ତ୍ରୀ

କଟକ ଅଫିସ,୧୧ା୩: ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରିବା ପାଇଁ ନିର୍ମାଣାଧୀନ ବ୍ରିଜ ପାର୍ଶ୍ୱ ରାସ୍ତା ଭୁଶୁଡ଼ିବା ଘଟଣାର ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆର୍‌ଆଣ୍ଡବି କଟକ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯନ୍ତ୍ରୀ ରିପୋର୍ଟ ପ୍ରଦାନ କରିବା ପରେ ଏହା ରାଜସ୍ବ ଆୟୁକ୍ତ ସୁରେଶ ଦଳେଇଙ୍କୁ ପ୍ରଦାନ କରାଯିବ ବୋଲି ଗୁରୁବାର ଜିଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି। ଅପରପକ୍ଷରେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ୨ ଶ୍ରମିକ କେନ୍ଦୁଝର ଜିଲା ଗହ୍ମାଡିଆ ଅଞ୍ଚଳର କୀର୍ତ୍ତନ ଦେହୁରୀ ଏବଂ ଅଜିତ୍‌ ଦେହୁରୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍‌ସିବି ମେଡିକାଲ କଲେଜ ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଆହତ ଚନ୍ଦନ ଦେହୁରୀଙ୍କୁ ଚିକିତ୍ସା ପରେ ଛଡ଼ାଯାଇଛି।
ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରିବା ପାଇଁ ପୋଲ ନିର୍ମାଣ କାମ ଚାଲିଥିବାବେଳେ ହଠାତ୍‌ ପୋଲର ପାର୍ଶ୍ୱରାସ୍ତା ଭୁଶୁଡି ପଡ଼ିଥିଲା। ଫଳରେ ସେଠାରେ କାମ କରୁଥିବା ୩ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବାବେଳେ ଅନ୍ୟ ୩ଜଣ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ମାଟି ତଳୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ଶ୍ରମିକଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍‌କୁ ପଠାଯାଇଥିଲା। ସେଠାରେ ଡାକ୍ତର କୀର୍ତ୍ତନ ଏବଂ ଅଜିତଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ କଟକ ଜିଲାପାଳ ଚୟିନୀ ଓ ସିଏମ୍‌ସି କମିଶନର ଅନନ୍ୟା ଦାସ ଏବଂ ଡିସିପି ପ୍ରତୀକ୍‌ ସିଂ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି କାମଟି ଭୁବନେଶ୍ୱରର ଅଭୟ ସାହୁ ନାମକ ଜଣେ ‘ଏ’ କ୍ଲାସ କଣ୍ଟ୍ରାକ୍ଟର କରୁଥିବା ଜଣାପଡିଛି। ତେବେ ଏହି ବ୍ରିଜ ନିର୍ମାଣ ସମୟରେ ଯେଉଁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଓ ସତର୍କତା ଅବଲମ୍ବନ କରାଯିବା କଥା ତାହା କରାଯାଇ ନ ଥିଲା ବୋଲି ସ୍ଥାନୀୟ ବାସିନ୍ଦା ସୁଧାକର ସାହୁ କହିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପ୍ରକାଶ କରିବା ସହ ଘଟଣାର ଆର୍‌ଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରି କି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୩ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ। ଅପରପକ୍ଷରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ମୃତକଦ୍ୱୟଙ୍କ ପରିବାର ଲୋକଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲାପାଳ ଭବାନୀ ଶଙ୍କର ଚୟିନୀ ଗୁରୁବାର ମୃତ ଶ୍ରମିକଙ୍କ ପରିବାରବର୍ଗଙ୍କୁ ୩୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି ।