ବଳାତ୍କାର ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

କଟକ ଅଫିସ, ୬।୧୦: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କରୁଣାକର କାଣ୍ଡିଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି କଟକ ପୋକ୍‌ସୋ କୋର୍ଟ। ଏଥିସହ ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଯଦି ଦୋଷୀ ଏହି ଜରିମାନା ନ ଦିଅନ୍ତି ତେବେ ତାଙ୍କୁ ଏକ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି। ସୋମବାର କଟକ ପୋକ୍‌ସୋ କୋର୍ଟର ବିଚାରପତି ବନ୍ଦନା କର ଏହି ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ୧୩ବର୍ଷୀୟା ନାବାଳିକା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳସ୍ଥ ତାଙ୍କ ମାଉସୀ ଘରକୁ ରାମନବମୀ ମେଳା ଦେଖିବାକୁ ଯାଇଥିଲେ। ଏହି ସମୟରେ ମାଉସୀ, ମଉସା ନ ଥିବା ସୁଯୋଗରେ ଅଭିଯୁକ୍ତ କରୁଣାକର ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ବଳାତ୍କାର କରିଥିଲେ। ଭୟରେ ଏକଥା ପୀଡ଼ିିତା କହାକୁ ଜଣାଇ ନ ଥିଲେ। ପରେ ସେ ନିଜ ଘର ନିଶ୍ଚିନ୍ତକୋଇଲିକୁ ଫେରିଥିଲେ। ଏହି ଘଟଣା ସମ୍ପର୍କରେ ପୀଡ଼ିିତାଙ୍କ ମା’ ଜାଣିବା ପରେ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ କରୁଣାକରଙ୍କୁ ୨୦୧୪ ମେ ୧୨ରେ ଗିରଫ କରି କୋର୍ଟଚାଲାଣ କରିଥିଲା। ସେବେଠାରୁ ସେ ବିଚାର ବିଚାର ବିଭାଗୀୟ ହାଜତରେ ରହିଥିଲେ। ଏହି ମାମଲାର ଶୁଣାଣି କଟକ ପୋକ୍‌ସୋ କୋର୍ଟରେ ଚାଲିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରିଥିଲେ।