୨୦ ବର୍ଷ ପରେ ଓଡ଼ିଶା ପାଇଁ ଗୌରବ: ରାଜ୍ୟ ସଭାରେ ଅଧ୍ୟକ୍ଷତା କଲେ ଓଡ଼ିଆ ଏମ୍‌ପି

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଦୀର୍ଘ ୨୦ବର୍ଷ ପରେ ଓଡ଼ିଶା ଏମ୍‌ପି ରାଜ୍ୟ ସଭା ଗୃହ ପରିଚାଳନାରେ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଶନିବାର ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ରାଜ୍ୟ ସଭାରେ ଅଧ୍ୟକ୍ଷତା କରିଛନ୍ତି। ମହାମାରୀ ରୋଗ (ସଂଶୋଧନ) ଅଧ୍ୟାଦେଶ-୨୦୨୦ ବିଲ୍‌ ରାଜ୍ୟ ସଭାରେ ଆଲୋଚନା ହେଉଥିବା ବେଳେ ସେ ଗୃହରେ ଅଧ୍ୟକ୍ଷତା କରିଥିଲେ। ସଭା କାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିବା ମାତ୍ରେ ଉପସ୍ଥିତ ସଦସ୍ୟମାନେ ସସ୍ମିତଙ୍କୁ ସ୍ବାଗତ କରିଥିଲେ। ସଭାକାର୍ଯ୍ୟ ଶେଷ ହେବା ପରେ ତାଙ୍କୁ ବିଭିନ୍ନ ଦଳର ଏମ୍‌ପିମାନେ ଶୁଭେଚ୍ଛା ଜଣାଇବା ସହ ସର୍ବକନିଷ୍ଠ ସଦସ୍ୟ ଭାବେ ଗୃହକୁ ଧୈର୍ଯ୍ୟ ଏବଂ ନମ୍ରତାର ଚଳାଇବା ଦକ୍ଷତାକୁ ପ୍ରଶଂସା କରିଥିଲେ। ଏହି ଗୌରବପୂର୍ଣ୍ଣ ମୁହୂର୍ତ୍ତକୁ ସସ୍ମିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ୪.୫ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି। ଯେଉଁମାନଙ୍କ ବିନା ରାଜ୍ୟ ସଭାକୁ ଯିବା ସମ୍ଭବ ହୋଇ ପାରି ନ ଥା’ନ୍ତା। ପାର୍ଲାମେଣ୍ଟର ଉଚ୍ଚ ସଦନକୁ ପରିଚାଳନା କରିବା ରାଜ୍ୟ ପାଇଁ ଏକ ସମ୍ମାନର ବିଷୟ ବୋଲି ସେ କହିଛନ୍ତି।