Categories: ଜାତୀୟ

ଅମିତ ଶାହାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଯୋଧପୁର,୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟରେ ହୋଇଥିବା ଦଙ୍ଗାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ଟୁଇଟ୍‌ କରି ଗେହଲୋଟ କହିଛନ୍ତି, ଯଦି ଅମିତ ଶାହାଙ୍କର ଦମ୍‌ ଅଛି, ଗୃହ ମନ୍ତ୍ରଣାଳୟର ଏକ କମିଟି ଗଠନ କରନ୍ତୁ। ଏହି କମିଟିରେ ହାଇକୋର୍ଟର ବିଚାରପତି, ସୁପ୍ରିମକୋର୍ଟର ବିଚାରପତିଙ୍କ ରଖାଯାଉ। କରୌଲି ପରେ, ୭ଟି ରାଜ୍ୟରେ ଆରମ୍ଭ ହୋଇଥିବା ଦଙ୍ଗା ମୂଳରେ କ’ଣ କାରଣ ଥିଲା। ସବୁ ଜିନିଷ ସାମ୍ନାକୁ ଆସିବ ଏବଂ ପରବର୍ତ୍ତୀ ଦଙ୍ଗା ହେବା ବନ୍ଦ ହୋଇଯିବ।
ମୁଖ୍ୟମନ୍ତ୍ରୀ କୌଣସି ଦଳର ନାଁ ନ ନେଇ କହିଛନ୍ତି ଯେ, ସେମାନଙ୍କର ପ୍ରସ୍ତୁତି ହେଉଛି ନିଆଁ ଲଗାଇବା। ସେମାନେ ଜାଣି ସାରିଛନ୍ତି ରାଜସ୍ଥାନରେ ନିର୍ବାଚନ ହାରିବେ। କରୌଲି ହିଂସା ଏକ ପ୍ରାୟୋଜିତ ଘଟଣା। ସେହିପରି ୭ଟି ରାଜ୍ୟରେ ଦଙ୍ଗା ହୋଇଥିଲା। ଏହାର ଅନୁସନ୍ଧାନ କରାଯିବା ଉଚିତ୍‌।
ସୂଚନାଯୋଗ୍ୟ, ଏପ୍ରିଲ ୨ରେ କରୌଲିରେ ହିନ୍ଦୁ ନୂତନ ବର୍ଷ ଅବସରରେ ହିନ୍ଦୁ ସଂଗଠନମାନେ ଏକ ବାଇକ ଯାତ୍ରା କରିଥିଲେ। ଏହି ଯାତ୍ରାରେ ଜଡିତ ଏକ ଡିଜେ କାର ମୁସଲମାନମାନଙ୍କ ବିଷୟରେ ବିବାଦୀୟ ଗୀତ ବଜାଉଥିଲା। ଏହି ସମୟରେ, ବାଇକ୍‌ ଯାତ୍ରୀଙ୍କ ଉପରେ ପଥର ଫିଙ୍ଗାଯିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହା ପରେ ବିରୋଧୀମାନେ ରାଜସ୍ଥାନ ସରକାରଙ୍କୁ ଘେରି ଥିଲେ। ସେହିପରି ଇଦ୍‌ ଏବଂ ଅକ୍ଷୟ ତୃତୀୟ ଅବସରରେ ଯୋଧପୁରରେ ବିବାଦ ଦେଖାଯାଇଥିଲା। ଜଲୋରୀ ଫାଟକ ନିକଟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ କରିଥିଲେ।

Share