ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା ଗ୍ରାମରେ ଝାଟିମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ି ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହେମ ନାଇକ। ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା। ପୋଲିସ ଶବ ଜବତ କରି ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଛି।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ହେମ ନାଇକ ଓ ତାଙ୍କ ଝିଅ ଦୁଃଖୀ ଖାଇସାରି ଶୋଇଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ହଠାତ୍‌ ଘରଟି ଭୁଶୁଡ଼ି ପଡ଼ିବାରୁ ଉଭୟ ମା’ ଓ ଝିଅ ଆହତ ହୋଇଥିଲେ। ଅନ୍ୟ ଏକ ଘରେ ଶୋଇଥିବା ହେମଙ୍କ ପୁଅ ଗରିବ ନାଇକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ହେମଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ଝିଅ ଦୁଃଖୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ମୃତ ହେମଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ ସରକାରଙ୍କ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି।

ଗୁରୁବାର ରାତି ତମାମ ବର୍ଷା ହେବା ପରେ ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ବର୍ଷାର ପରିମାଣ କମିଛି। ତେବେ ଭଞ୍ଜନଗର, ଡହ, ବାଘୁଆ ଓ ସୋରଡ଼ା ଜଳଭଣ୍ଡାରର ଜଳସ୍ତର ବଢ଼ିଚାଲିଛି। ସୋରଡ଼ା ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଥିବା ବେଳେ ଅନ୍ୟ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଏବେ ବି ବିପଦ ସଙ୍କେତ ତଳେ ରହିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ଜାରି ରହିଛି।

ଅନ୍ୟପକ୍ଷରେ, କଳିଙ୍ଗା ଘାଟିର ଏକାଧିକ ସ୍ଥାନରେ ଗୁରୁବାର ଭୂସ୍ଖଳନ ହେବାରୁ ଘାଟି ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକେ ବିକଳ୍ପ ରାସ୍ତାରେ ଯାତାୟାତ କରୁଛନ୍ତି।

ପରିସ୍ଥିତି ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା, ଭାରପ୍ରାପ୍ତ ତହସିଲଦାର ଅବିନାଶ ମହାର ଓ ବିଡିଓ ଭାରତୀ ଦେବୀ ପ୍ରମୁଖ ଶୁକ୍ରବାର ଅପରାହ୍ନରେ କଳିଙ୍ଗା ଘାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

 

Dharitri – Odisha’s No.1 Odia Daily

 

Share