ବାଟ ହୁଡୁଛି ସର୍ବଶିକ୍ଷା ଅଭିଯାନ ଯୋଜନା

ମହାକାଳପଡ଼ା,୫ା୯(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପାନ୍ତ ଅଞ୍ଚଳରେ ସର୍ବଶିକ୍ଷା ଅଭିଯାନ ଯୋଜନା ବାଟ ହୁଡିଛି। କୋମଳମତି ଶିଶୁ ନିଜର ଭୋକିଲା ପେଟ ପାଇଁ ମା’ ପଛରେ ଖାଦ୍ୟ ଅନ୍ବେଷଣରେ ବାରଦୁଆର ବୁଲି ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳିଛି। ଏହି କୁନି ଶିଶୁଟିର ବୟସ ପାଖାପାଖି ୬ ବର୍ଷ ହେବ। ଯେଉଁ ସମୟରେ କାନ୍ଧରେ ବ୍ୟାଗ୍‌ ପକାଇ ପଢିବାକୁ ସ୍କୁଲକୁ ଯିବା କଥା ପେଟ ପାଇଁ ସେ ଭିକ୍ଷା କରି କାନ୍ଧରେ ଚାଉଳ ବ୍ୟାଗ ପକାଇ ବୁଲୁଛି। ଦାରିଦ୍ର୍ୟ କଷାଘାତରେ ଆଉଟୁ ପାଉଟୁ ହେଉଥିବା ଏହି ଶିଶୁଟିର ମୁହଁକୁ ଦେଖିଲେ ବେଶ୍‌ ବୁଝା ପଡ଼ିଯାଉଛି ଭୋକିଲା ମୁହଁର କରୁଣ ଚିତ୍ର। ଏକ ସମ୍ପ୍ରଦାୟର ପାରମ୍ପରିକ ବୃତ୍ତିକୁ ଆପଣାଇ ମା’ ବାପାଙ୍କ ସହ ପିଲାମାନେ ଭିକ୍ଷା ପାଇଁ ବୁଲୁଛନ୍ତି। ଏମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସାଧାରଣରେ ଦାବି ହେଉଛି।
ଏହି ବୟସର ପିଲାମାନଙ୍କ ସାଥୀମାନେ ବିଦ୍ୟାଳୟକୁ ଯାଇ ହସ ଖୁସିରେ ପାଠ ପଢୁଛନ୍ତି। ହେଲେ ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ଏମାନଙ୍କ ଘରଦ୍ୱାର ନ ଥିବାରୁ ଗଁା ମୁଣ୍ଡ ସ୍କୁଲ ବାରଣ୍ଡା କି ପରିତ୍ୟକ୍ତ ଭଗ୍ନ ଗୃହରେ ରାତି ହେଲେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଗଁା ଗଣ୍ଡାରୁ ପୋଷେ ପୋଷେ ମାଗି ଆଣିଥିବା ଚାଉଳ, ରାସ୍ତା କଡର ଶୁଖିଲା କାଠ ସଂଗ୍ରହ କରି ରାତି ରୋଷେଇ କରି ଖାଇଥାନ୍ତି। ସକାଳ ହେଲେ ପୁଣି ଅନ୍ୟ ଗାଁକୁ ଯାଇ ଭିକ୍ଷା କରି ପେଟ ପାଇଁ ଚିନ୍ତା କରିଥାନ୍ତି। ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ସମେତ ଯେମିତି ଏହି ଶିଶୁଟି ପାଖରେ ହୋଇଛି ବାଟବଣା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ କରିଛନ୍ତି ଅନେକ ଯୋଜନା ପରେ ଯୋଜନା। ଅଧାରୁ ପାଠ ଛାଡିଥିବା ଶିଶୁମାନଙ୍କୁ ବିଦ୍ୟାଳୟକୁ ପ୍ରବେଶ ଠୁ ଆରମ୍ଭ କରି ମାଗଣାରେ ଭୋଜନ, ପାଠ୍ୟ ପୁସ୍ତକ, ପୋଷାକ, ଶିକ୍ଷା ବୃତ୍ତି ପ୍ରଦାନ ଆଦି ଅନେକ ସୁବିଧା ଯୋଗାଇ ଦେଉଛନ୍ତି। ଏହି ଯୋଜନା ସତେଯେମିତି ଏହି ଶିଶୁମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ପ୍ରାଥମିକ ସ୍ତରରେ ଭିକ୍ଷା ବୃତ୍ତିରେ ନିୟୋଜିତ ଥିବା ଶିଶୁମାନଙ୍କ ତାଲିକା କରାଯାଇ ସରକାର ଏମାନଙ୍କ ରହିବା, ଖାଇବା, ପିଇବା ଓ ପାଠ ପଢ଼ିବାର ସମସ୍ତ ବ୍ୟବସ୍ଥା କରାଗଲେ ଏମାନେ ସମାଜରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ଶିକ୍ଷାବିତ୍‌ ବିରଞ୍ଚତ୍ ନାରାୟଣ ଦାସ ମତବ୍ୟକ୍ତ କରିଛନ୍ତି।