ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର

ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ଉପକୂଳ ମହାକାଳପଡ଼ା ବ୍ଲକ ସ୍ଥାନୀୟ ରାମନଗର ଓ ବରକନ୍ଧା ପଞ୍ଚାୟତର ଆଖଡ଼ାଶାଳୀ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ହେବ। ହେଲେ ଏହି ଅଞ୍ଚଳର ବହୁ ପାରମ୍ପରିକ ମତ୍ସ୍ୟଜୀବୀ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହି ନଦୀରୁ ମାଛ ମାରି ପରିବାର ଚଳାନ୍ତି, ସେହିପରି ସ୍ଥାନୀୟ ପିତାପାଟ ଗ୍ରାମର ମହିଳା ମତ୍ସ୍ୟଜୀବୀ ଦମୟନ୍ତୀ ବେହେରା କୁହନ୍ତି, ମାଛ ମାରିଲେ ପରିବାର ଚଳେ, ମହିଳା ହୋଇକି ବି ଦୈନିକ ମହାନଦୀ ମୁହାଣରେ ଛୋଟ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଜାଲ ଦେଇ ମାଛ ମାରି ଥାନ୍ତି। ଝଡ, ବାତ୍ୟାକୁ ଖାତିର ନ କରି ମାଛ ମାରି ନିକଟ ବଜାରରେ ବିକ୍ରି କରି ତେଲ ଲୁଣ ସଂସାର ଚଳାଇଥାନ୍ତି। ଆଗାମୀ ଦିନରେ ବନ୍ଦର ହେଲେ ନଦୀରେ ମାଛ ସଂଖ୍ୟା ହ୍ରାସ ପାଇବ। ଅପରପକ୍ଷେ ବନ୍ଦର ନିର୍ମାଣ ହେଲେ କର୍ମ ସଂସ୍ଥାନ ମିଳିବ। ତେବେ ଆମେ ଗରିବ ଲୋକ ଆମକୁ ପଚାରେ କିଏ। ମହାନଦୀରେ ଆମ ପରି ଅନେକ ମହିଳାମାନେ ବିପଦପୂର୍ଣ୍ଣ ଭାବେ ମାଛ ମାରିବା ବେଳେ ଜୀବନ ବିତାଇବାକୁ ପଡ଼ିଥାଏ। ଜମିବାଡି ନ ଥିବାରୁ କେବଳ ନଦୀ ଉପରେ ନିର୍ଭର କରିବାକୁ ପଡ଼ିଥାଏ ବୋଲି ଅନେକ ପରିବାର ଲୋକ ନିଜର ଦୁଃଖ ବଖାଣିଛନ୍ତି। ଏହି ମାଛ ଧରାଳି ପରିବାରଙ୍କୁ ବନ୍ଦର ନିର୍ମାଣ ହେଲେ ସ୍ବତନ୍ତ୍ର ସହାୟତା ଯୋଗାଇ ଦେବାକୁ ପ୍ରାକ୍ତନ ସରପଞ୍ଚ ବିକାଶ ଦେବନାଥ ମତବ୍ୟକ୍ତ କରିଛନ୍ତି।