ବର୍ଷା ହେଲେ ବଢୁଛି ଅଣ୍ଡରପାସ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ, ୭ା୫: ବହୁ ପ୍ରତୀକ୍ଷିତ ଜଟଣୀ ଓଭରବ୍ରିଜ୍‌ ନିର୍ମାଣ କାମ ସରୁ ନ ଥିବା ବେଳେ ସୀତାରାମ ଛକସ୍ଥିତ ରେଲଓ୍ବେ ଅଣ୍ଡରପାସ୍‌ରେ ବର୍ଷାପାଣି ଜମିରହୁଛି। ଏହି ଅଣ୍ଡରପାସ୍‌ ଖୋର୍ଦ୍ଧା ଓ ପିପିଲିକୁ ମୁଖ୍ୟରାସ୍ତା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘବର୍ଷ ହେବ ଏଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ପୂର୍ବତଟ ରେଲଓ୍ବେ ପକ୍ଷରୁ ବହୁ ବର୍ଷ ପୂର୍ବେ ଏହି ଅଣ୍ଡରପାସ୍‌ ନିର୍ମାଣ କରାଯାଇଥିଲା। ଅଣ୍ଡରପାସ୍‌ର ଉଭୟପଟୁ ଖାଲୁଆ ରହିଥିବାରୁ ବର୍ଷାପାଣି ଜମିବା ସମ୍ଭାବନାକୁ ଏଡ଼ାଇବା ଲାଗି ସେହି ସମୟରେ ବିଭାଗୀୟ ଯନ୍ତ୍ରୀ ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା କରିଥିଲେ। ପ୍ରାୟ ୩ ଶହ ମିଟରରୁ ଊର୍ଦ୍ଧ୍ୱ ଲମ୍ବ ଓ ୧୫ ଫୁଟ ଗଭୀର ଡ୍ରେନ୍‌ କରାଯାଇଥିଲା। ଏହି ଡ୍ରେନ୍‌ ଲୋକୋ(ରେଲ୍‌ଓ୍ବେ) କଲୋନୀ, ଆରପିଏଫ୍‌ ପଛପଟ ଦେଇ କୁଦିଆରୀ ଯୋର ପର୍ଯ୍ୟନ୍ତ ଯାଇଥିଲା। ଡ୍ରେନ୍‌ର ବିଭିନ୍ନ ସ୍ଥାନରେ ଚାମ୍ବରର ବ୍ୟବସ୍ଥା ରହିଥିଲା। ଫଳରେ କୌଣସି ସ୍ଥାନରେ ସମସ୍ୟା ଉପୁଜିଲେ, ଚାମ୍ବର ଭିତରେ ପଶି ଏହାର ସମାଧାନ କରାଯାଇପାରିବ। ଯେତେ ବର୍ଷା ହେଲେ ବି ପାଣି ଡ୍ରେନ୍‌ ଦେଇ ନିଷ୍କାସନ ହୋଇଯାଉଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ସଂରକ୍ଷଣ ଏବଂ ପୁନରୁଦ୍ଧାର ଅଭାବରୁ ଡ୍ରେନ୍‌ ପୋତିହୋଇଗଲା। ତେବେ ପାଣି ଜମିଲେ, ରେଲଓ୍ବେ ବିଭାଗ ପାଣି ପମ୍ପ୍‌ ଲଗାଇ ନିଷ୍କାସନ କରି ନିଜ ଦାୟିତ୍ୱ ଖସାଇ ନେଉଛି। ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ। ଫଳରେ ବର୍ଷାଦିନ ଆସିଲେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ଏହି ଅଣ୍ଡରପାସ୍‌ରେ ଦୀର୍ଘ ସମୟ ଧରି ପାଣି ଜମି ରହିଥିଲା। ଉଭୟପଟୁ ଏକ କିଲୋମିଟର ବ୍ୟାପୀ ଯାନବାହନ ଅଟକି ରହିଥିଲା। ସେହିପରି ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟିବାର ମଧ୍ୟ ନଜିର ରହିଛିି। ୨୦୨୨ ମସିହାରେ ପିପିଲି ପଟୁ ଯାତ୍ରୀ ଧରି ଆସୁଥିବା ମୋ ବସ୍‌ ଏଠାରେ ଫସିଯାଇଥିଲା। ଜଳ ନିଷ୍କାସନ ପରେ ବସ୍‌ଟି ଉଦ୍ଧାର ହୋଇଥିଲା। ଅନ୍ୟପଟେ ଓଭରବ୍ରିଜ ନିର୍ମାଣ ସରିଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ୨୦୧୫ରୁ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଥର ଗତି ଯୋଗୁ ଏହି କାର୍ଯ୍ୟ କେବେ ସରିବ ସେନେଇ ଅନିଶ୍ଚିତତା ଲାଗି ରହିଛି। ପ୍ରଥମେ ୨୦୨୨ ଏପ୍ରିଲ ପହିଲା ଏବଂ ପରେ ସେପ୍ଟେମ୍ବର ସୁଦ୍ଧା କାମ ସରିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ କାମ ସରିଲା ନାହିଁ। ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ମେ’ ୨୫ ସୁଦ୍ଧା ସରିବ ବୋଲି କହିଥିଲେ। ତେବେ ଏହି କାମ ସରିବ କି ନାହିଁ ଆଶଙ୍କା ଦେଖାଦେଇଛି।
ନିର୍ବାହୀ ଅଧିକାରୀ ଦିଲୀପ ମହାନ୍ତି କୁହନ୍ତି, ଜଟଣୀ-ପିପିଲି ରାସ୍ତା ଆର୍‌ ଆଣ୍ଡ ବି ଅଧୀନରେ ରହିଛି। ଅଣ୍ଡରପାସ୍‌ରେ ଜଳ ନିଷ୍କାସନ ଦାୟିତ୍ୱ ରେଲଓ୍ବେର। ବର୍ଷା ହେଲେ ରେଲଓ୍ବେ ପକ୍ଷରୁ ପମ୍ପ୍‌ ଲଗାଯାଇ ଜଳ ନିଷ୍କାସନ କରାଯାଉଛି। ବର୍ଷାଦିନ ଆସିଲେ ଅଣ୍ଡରପାସ୍‌ର ଉଭୟପଟୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଉଛି। ଫ୍ଲାଏ ଓଭରବ୍ରିଜ୍‌ ନିର୍ମାଣ ହୋଇଗଲେ ଏହି ସମସ୍ୟା ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।