ବରଗଡ଼/ଭେଡ଼େନ,୧୨।୩(ପ୍ରେମାନନ୍ଦ ଖମାରୀ/ହୃଷୀକେଶ ଖମାରୀ):ବରଗଡ଼ ଜିଲାରେ ରବି ଧାନ କିଣାବିକା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଖରିଫ୍ରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି। କେବଳ ସେତିକି ନୁହେଁ, ଖରିଫ୍ ଧାନବିକ୍ରି ପାଇଁ ବହୁଚାଷୀ ପଞ୍ଜୀକୃତ ହୋଇପାରି ନଥିବା ବେଳ ଅନେକ ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। ଧାନବିକ୍ରିରେ ଏଭଳି ଅବ୍ୟବସ୍ଥାକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନଗଦା କରି ଚାଷୀଙ୍କ ଧାରଣା ଜାରି ରହିଥିବାବେଳେ ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଧାନବିକ୍ରି ଟୋକନ ପାଇ ନଥିବାରୁ ବୁଧବାର ଭେଡ଼େନ ବ୍ଲକ ଅନ୍ତର୍ଗତ ଲୁପୁରସିଂହା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ସ୍ଥାନୀୟ ଜଣେ ଚାଷୀ ପ୍ରକାଶ ଚାନ୍ଦା ତାଲା ମାରି ଦେଇଛନ୍ତି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଚାଷୀ ଗତ ଖରିଫ୍ରେ ପ୍ରାୟ ୧୦ ଏକର ଜମିରେ ଧାନଚାଷ କରିଥିଲେ। ସେଥିରେ ନିଜର ଜମି ସହିତ ଭାଗଚାଷ ଜମି ମଧ୍ୟ ରହିଛି। ତେବେ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳି ନଥିବାରୁ ସେ ଧାନବିକ୍ରି କରି ପାରି ନାହାନ୍ତି। ଅନ୍ୟପଟେ ସେ ଅସୁସ୍ଥ ଥିବା ଯୋଗୁ ଧାର, କରଜ କରି ଚିକିତ୍ସିତ ହୋଇଥିଲେ। ସେହିପରି ପରିବାର ଗୁଜୁରାଣ ମେଣ୍ଟାଇବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡ଼ିଛି ବୋଲି ଚାଷୀ ପ୍ରକାଶ କହିଛନ୍ତି।
ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କିଛି ସୁଫଳ ମିଳି ନଥିଲା। ଫଳରେ ସେ ପାକ୍ସ କାର୍ଯ୍ୟାଳୟରେ ତାଲା ମାରିବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କହିଛନ୍ତି। ତେବେ କେବଳ ପ୍ରକାଶ ନୁହଁନ୍ତି, ଭେଡ଼େନ ବ୍ଲକର ଲୁପୁରସିଂହା, ଖାଉପାଲି, ବକଟି, ସହରାଟିକ୍ରା, ଦେହେରୀପାଲି, ବହଲପାଲି, ତାଲମେଣ୍ଡା, ଦେକୁଲବା ଆଦି ଅଞ୍ଚଳର ଅନେକ ଚାଷୀ ଧାନବିକ୍ରି ଟୋକନ ପାଇ ନଥିବାରୁ ଏପର୍ଯ୍ୟନ୍ତ ଖରିଫ୍ରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜିବାରେ ଲାଗିଛି। ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାରେ ବୁଧବାର ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, କଳାକାର ଦେହେରୀ, ବିଜୁ ସାହୁ, ଝସକେତନ ସାହୁ, ଯାଦବ ସାହୁ, ଦିପକ ବଢ଼େଇ, ପୂର୍ଣ୍ଣ ସାହୁ, ଆମ ଆଦମୀ ପାର୍ଟିର ଶାହରୁଖ ଲୋଧିଆ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରାର ଚାଷୀନେତା ଟିକେଲାଲ ମିଶ୍ର, ସୁବାଷ ବିଶ୍ୱାଳ, ବାରପାହାଡ଼ କୃଷକ ସଂଗଠନର ଈଶାନ୍ତ ଭୋଇ, ରୋହିତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

