ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅନ୍ୟ ଜିଲାଠାରୁ ଅଧିକ। ଧାନ ବିକ୍ରି, ସାର ଓ କୀଟନାଶକ ବିକ୍ରିରେ କଳାବଜାର, କୃଷିକ୍ଷେତ୍ରକୁ ଜଳାଭାବ ଭଳି ଅନେକ ସମସ୍ୟା ଏହି ଜିଲାରେ ଏପର୍ଯ୍ୟନ୍ତ ଅସମାହିତ ରହି ଯାଇଛି । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ରବିବାର ଜିଲାର ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଂଗଠନର ତରଫରୁ ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଧାନ ମଣ୍ଡିରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ସଂଗଠନର ସଭାପତି ମୁରଲୀ ଭୋଇ ଏଥିରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବୈଠକରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବୈଠକରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଯୋଗଦେଇ ଦେଶର କୃଷକମାନଙ୍କ ଦୁର୍ଦ୍ଦଶା ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସ୍ବାମୀନାଥନ କମିଟି କାର୍ଯ୍ୟକାରୀ କରିବା, କୃଷିଜାତ ଦ୍ୱାବ୍ୟର ସୁନିଶ୍ଚିତ ବଜାର ବ୍ୟବସ୍ଥା, ବିପର୍ଯୟ ମୁକାବିଲା, ବିଦ୍ୟୁତ୍ ସମସ୍ୟା, ଶ୍ରମିକ ମାରାଣ ନୀତି ସହିତ ଲଘୁଚାପ ଜନିତ ବର୍ଷାରେ କ୍ଷୟକ୍ଷତି ଉପରେ ସେ ଆଲୋକପାତ କରିଥିଲେ। ଫସଲବୀମାରେ ଏଗ୍ରିଷ୍ଟାଗକୁ ହଟାଇ ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ କରିବା, ଚାଷୀଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯୋଗାଣ ଏବଂ ଧାନ ବିକ୍ରି ପଞ୍ଜୀକରଣକୁ ସରଳୀକାରଣ କରିବା ପାଇଁ ସଭାରେ ଗୁରୁତ୍ୱାରୋପ କରାଯାଇଥିଲା । ସମସ୍ତ ଚାଷୀଙ୍କୁ ତୁରନ୍ତ ୟୁରିଆ ଏବଂ ଡିଏପି ସାର ଯୋଗାଇ ନ ଦେଲେ ଯେକୌଣସି ମୁହୂର୍ତ୍ତରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ବିଭିନ୍ନ ଗ୍ରାମର ଶତାଧିକ ଚାଷୀ ଯୋଗ ଦେଇଥିଲେ । ଅମୃତ ଭୋଇ, ହେମନ୍ତ ମିଶ୍ର, ଖଗେଶ୍ୱର ଦେବତା, ପ୍ରେମରାଜ ସାହୁ, ପ୍ରଭାତ ସାହୁ, ଗୁରୁଚରଣ ଭୋଇ ପ୍ରମୁଖ ଏଥିରେ ସକ୍ରିୟ ଭୂମିକା ନେଇଥିଲେ। କୁଞ୍ଜବିହାରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।