ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ପ୍ରଧାନଶିକ୍ଷକ, ଉତ୍ତ୍ୟକ୍ତ ହୋଇ ସ୍କୁଲ ଘେରିଲେ ଗ୍ରାମବାସୀ

କୋରୁକୋଣ୍ଡା,୩।୧୧(ଡି.ଏନ.ଏ): ପ୍ରଧାନଶିକ୍ଷକଙ୍କ ମାଡରେ ଛାତ୍ରୀଛାତ୍ର ଆହତ। ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଘେରିଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମଟାପାଲ୍ଲୀ ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ବିଦ୍ୟାଳୟର ୪ର୍ଥ ଶ୍ରେଣୀ ପିଲାଙ୍କୁ ପ୍ରଧାନଶିକ୍ଷକ ରଞ୍ଜନ ବେହେରା ଗଣିତ ପଢ଼ାଉଥିବା ବେଳେ କିଛି ପ୍ରଶ୍ନର ଉତ୍ତର ଛାତ୍ରୀଛାତ୍ର ଦେଇ ପାରିନଥିଲେ। ଫଳରେ ଏକ ବାଉଁଶ ଛାଟିଆ ନେଇ ଶିକ୍ଷକ ଛାତ୍ରୀଛାତ୍ରଙ୍କୁ ମାଡ ମାରିଥିଲେ। ୪ର୍ଥ ଶ୍ରେଣୀର ୧୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୭ ଜଣଙ୍କୁ ପ୍ରଧାନଶିକ୍ଷକ ରଞ୍ଜନ ବେହେରା ଅତି ଗୁରୁତର ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି କିଛି ଛାତ୍ରୀଛାତ୍ରଙ୍କ ମୁଣ୍ଡକୁ ମଧ୍ୟ ଜୋର ମାରିଥିବା ଛାତ୍ରୀଛାତ୍ର କହିଛନ୍ତି। ଏହାକୁ ନେଇ ସୁବର୍ଣ୍ଣପୁର ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ଘେରିଥିବା ଦେଖିବାକୁ ମିଳିଛି। ଏଥିସହିତ ପ୍ରଧାନ ଶିକ୍ଷକ ରଞ୍ଜନ ବେହେରା ନିଜ ମନ ମୁତାବକ ସେଠାରେ ଶାସନ ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ପ୍ରଧାନ ଶିକ୍ଷକ ରଞ୍ଜନ ବେହେରାଙ୍କୁ ପଚାରିବାରୁ ପାଠ ପଢ଼ାରେ ଅବହେଳା ହେତୁ ରାଗି ଯାଇ ମାରିଥିବା ଘଟଣା ସ୍ବୀକାର କରିଥିଲେ। ଏଥିସହ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ସେ ତୁରନ୍ତ ଫେରାଇଦେବେ ବୋଲି କହିଥିଲେ। ଅନ୍ୟପଟେ, ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଇଛି। ଯଦି ଏହି ଘଟଣାକୁ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନ ନିଏ ତା’ହେଲେ ଆଗାମୀ ଦିନରେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଶୁକ୍ରବାର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ବିଦ୍ୟାଳୟ କୁ ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ କହିଛନ୍ତି। ସରକାରଙ୍କ ଦଣ୍ଡମୁକ୍ତ ଶିକ୍ଷା ପ୍ରଦାନ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରି କୁନି କୁନି ଛାତ୍ରୀଛାତ୍ରଙ୍କୁ ଏଭଳି ଦୟନୀୟ ଭାବେ ମାଡ଼ ମାରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।