Categories: ଜାତୀୟ

ବାତ୍ୟା ୟାସ୍‌ ପରବର୍ତ୍ତୀ ସ୍ଥିତି: ଆଜି ଆକାଶମାର୍ଗରୁ ଦେଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୮ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା ୟାସ୍‌ ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ସମୀକ୍ଷା କରିବେ। ବୁଧବାର ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳରେ ମାଡ଼ କରିବା ସହ ଉଭୟ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ମୋଦି ଶୁକ୍ରବାର ଭୁବନେଶ୍ୱରରେ ବିମାନରୁ ଅବତରଣ କରି ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହା ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲାର କ୍ଷୟକ୍ଷତି ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ବାତ୍ୟାଞ୍ଚଳ ଆକାଶମାର୍ଗରୁ ଦେଖିବା ସହ ସେଠାରେ ଅନ୍ୟ ଏକ ସମୀକ୍ଷା ବୈଠକ କରିବେ। ଗୁରୁବାର ପ୍ରଧାନମନ୍ତ୍ରୀ ତାଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର ସଚିବ, ଶକ୍ତି ସଚିବ, ଟେଲିକମ୍‌ ସଚିବ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଡିଜିଙ୍କ ସହ ବାତ୍ୟା ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧିକାରୀମାନେ ବିଭିନ୍ନ ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବାତ୍ୟାଞ୍ଚଳରୁ ୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କରିବା ସହ ୨,୫୦୦ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟକୁ ରାସ୍ତାରୁ ହଟାଇଛି। ଉଭୟ ରାଜ୍ୟ ବାତ୍ୟା କ୍ଷୟକ୍ଷତି ଆକଳନ ଜାରି ରଖିଛନ୍ତି। ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବାରୁ ଅତି କମ୍‌ ଜୀବନ ହାନି ହୋଇଛି। ବାତ୍ୟା ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥାଗୁଡ଼ିକର ସକ୍ରିୟ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ କମ୍‌ ସମୟ ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରା ସ୍ବାଭାବିକ କରାଇବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

Share