ଆତଙ୍କବାଦୀ ଡ୍ରେସ୍‌ରେ ଆମେରିକା ରାଷ୍ଟ୍ରପତି

ନ୍ୟୁୟର୍କ,୧୭।୯: ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ସୈନ୍ୟ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଏକ ପୋଷ୍ଟର ବହୁତ ଚର୍ଚ୍ଚାର ବିଷୟ ହୋଇଛି । ଏହି ପୋଷ୍ଟରରେ ରାଷ୍ଟ୍ରପତିଙ୍କୁ ତାଲିବାନ ଆତଙ୍କବାଦୀଙ୍କ ଡ୍ରେସରେ ଦର୍ଶାଯାଇଛି। ସେ ଏକ ମୋଟାର୍ଡ ଧରିଛନ୍ତି। ପୋଷ୍ଟରରେ ‘ମେକିଂ ତାଲିବାନ ଗ୍ରେଟ ଏଗେନ୍‌’ ଲେଖା ଅଛି। ଉଲ୍ଲେଖନୀୟ କଥା ହେଉଛି, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ସମୟରେ ‘ମେକିଂ ଆମେରିକା ଗ୍ରେଟ ଏଗେନ୍‌’ ସ୍ଲୋଗାନ ବହୁତ ଲୋକପ୍ରିୟ ହୋଇଥିଲା।
ମିଡିଆ ରିପୋର୍ଟ ଅନୁଯାୟୀ, ପେନସିଲଭାନିଆର ପୂର୍ବତନ ସିନେଟର ସ୍କଟ ୱାଗନର୍‌ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ ଏହି ପୋଷ୍ଟର ଲଗାଇଛନ୍ତି। ସେ ରାଜପଥରେ ପ୍ରାୟ ୧୫,୦୦୦ ଡଲାର ମୂଲ୍ୟରେ ଏଭଳି ପୋଷ୍ଟର ଲଗାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଜୋ ବାଇଡେନଙ୍କ ଭୁଲ ନିଷ୍ପତ୍ତି ହେତୁ ଆମେରିକା ସମଗ୍ର ବିଶ୍ୱ ସାମ୍ନାରେ ଲଜ୍ଜିତ ହେବାକୁ ପଡିଛି। ଭିଏତନାମ ତୁଳନାରେ ଏହି ଲଜ୍ଜା ଅଧିକ ଖରାପ ଅଟେ। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ଯୁଦ୍ଧ କରିଥିବା ଲୋକଙ୍କୁ ଆପଣ କେଉଁ ଉତ୍ତର ଦେବେ? ପୂର୍ବତନ ଏହି ସିନେଟର କହିଛନ୍ତି ଯେ ସେ ଟ୍ରମ୍ପଙ୍କ ସମର୍ଥକ ନୁହଁନ୍ତି। ଟ୍ରମ୍ପ ଯଦି ଏପରି ନିଷ୍ପତ୍ତି ନେଇଥାନ୍ତେ, ତେବେ ସେ ମଧ୍ୟ ସମାନ କାର୍ଯ୍ୟ କରିଥାନ୍ତେ। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ସ୍ଥଗିତ ରଖିବାକୁ ବାଇଡେନଙ୍କ ଉପରେ ଚାପ ପଡିଥିଲା, କିନ୍ତୁ ସେ କାହାରି କଥା ଶୁଣିଲେ ନାହିଁ ବୋଲି ସେ କହିଛନ୍ତି।

Share