ବରଗଡ଼,୧୭।୮(ପ୍ରେମାନନ୍ଦ ଖମାରୀ) – ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଉପରେ ନିର୍ମାଣ ହୋଇଥିବା ବହୁ ପ୍ରତିକ୍ଷୀତ ବାୟୋପିକ ଫିଲ୍ମ ‘ବଡ଼ମା’ର ପ୍ରିମିୟର ଶୋ ରବିବାର ପ୍ରଦର୍ଶିତ ହୋଇଯାଇଛି। ପାର୍ବତୀ ଗିରିଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟରିୟମରେ ପଞ୍ଚବଟି ପ୍ରଡକ୍ସନ ଓ ଉଷା ଉଜ୍ଜ୍ବଳ ପ୍ରଡକ୍ସନ ଦ୍ୱାରା ମିଳିତ ଭାବରେ ନିର୍ମିତ ତଥା ବିକାଶ ଗ୍ରୁପ ଅଫ ଇଷ୍ଟିଚ୍ୟୁଶନ ଦ୍ୱାରା ଆର୍ଥିକ ପ୍ରୋତ୍ସାହନରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ଲିଟୁ ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି। ସଙ୍ଗୀତ ରଚନା ପଦ୍ମଶ୍ରୀ ହଳଧର ନାଗ, ପ୍ରଦୀପ ରାଏ, ଚୂଡ଼ାମଣି ଚନ୍ଦନ, ଦୁର୍ଗା ପଣ୍ଡା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁନାମଧନ୍ୟ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲ। ଏଥିରେ କଣ୍ଠ ଦାନ କରିଛନ୍ତି ନିଜେ ପଙ୍କଜ ଜାଲ, ପମି ମିଶ୍ର, ମାନସୀ ପାଣିଗ୍ରାହୀ, ଶ୍ରିୟା ପଣ୍ଡା, ଅଂଶିକା ସିକନ୍ଦର, ବିବେକାନନ୍ଦ ଜାଲ, ଶର୍ମିଷ୍ଠା ଜାଲ। ଏହି ପ୍ରିମିୟର ଶୋରେ ଅତିଥି ଭାବରେ ପଦ୍ମଶ୍ରୀ ଡ. ହଳଧର ନାଗ, ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ, କ୍ରିଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଡି.ମୁରଲୀ କ୍ରିଷ୍ଣା, ଫିଲ୍ମ ପ୍ରଯୋଜକ ଅବନୀ କୁମାର ମେହେର, ଶିବାଜୀ ମହାନ୍ତି, (କଣ୍ଟାବାଞ୍ଜି) ସାମାଜିକ କର୍ମୀ ଚନ୍ଦ୍ରଶେଖର ବାଗ, ଫିଲ୍ମ ଅଭିନେତା ପୃଥ୍ବୀରାଜ ନାୟକ, ଅଭିନେତା ସୌମେନ ପୂଜାରୀ, ଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ନାୟକ, ନିର୍ଦ୍ଦେଶକ ତଥାସିନେ ସମ୍ପାଦକ ଡ. ଦିଲ୍ଲୀପ ପାଣି, ନିର୍ଦ୍ଦେଶକ ଗଦାଧର ବାରିକ, ଗୋପାଳ ପ୍ରଧାନ, ମୁରଲୀ ପତି, ସୁଧୀର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଫିଲ୍ମର ସମସ୍ତ କଳାକାର, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଗାୟିକାଙ୍କ ସମେତ ସମସ୍ତ ବିଭାଗରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ଫିଲ୍ମର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଥମେ ଅତିଥିମାନେ ପାର୍ବତୀ ଗିରିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ଏବଂ ଫିଲ୍ମର ଶୁଭ କାମନା ଜଣାଇବା ସହ ଫିଲ୍ମରେ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଅତିଥି ଓ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


