ବିଦ୍ୟୁତ୍‌ ବିଭ୍ରାଟ ଅସହ୍ୟ

ଢେଙ୍କାନାଳ ଅଫିସ, ୧।୫ ଉପରମୁହାଁ ହୋଇଛି ପାରଦ। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସମୟରେ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଢେଙ୍କାନାଳ ସହରରେ ଏହାକୁ ମାନୁନି ବିଦ୍ୟୁତ୍‌ ବିତରଣ କମ୍ପାନୀ। ସାରାଦିନ ଏବଂ ରାତିରେ ଘନଘନ ବିଜୁଳି କାଟ୍‌ରେ ସହରାଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିବାବେଳେ ସେମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ଢେଙ୍କାନାଳ ସହରରେ ତାପମାତ୍ରା ଶୁକ୍ରବାର ୪୨.୮ ଡିଗ୍ରୀରେ ପହଞ୍ଚତ୍ଥିବାବେଳେ ଶନିବାର ଥିଲା ୪୦ ଡିଗ୍ରୀ। ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଖରା। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ମଧ୍ୟାହ୍ନ ସୁଦ୍ଧା ଜନଗହଳିପୂର୍ଣ୍ଣ ସ୍ଥାନ ଶୂନ୍‌ଶାନ ହୋଇପଡୁଛି। ଲୋକମାନେ କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସମୟରେ ଦିନବେଳା ୫ରୁ ୧୦ ମିନିଟ୍‌ ବ୍ୟବଧାନରେ ଘନଘନ ବିଦ୍ୟୁତ୍‌ କାଟ ହେଉଛି। ବିଳମ୍ବିତ ରାତିରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ ଅତିଷ୍ଠ କରିପକାଉଛି। କୁଞ୍ଜକାନ୍ତ, ଲଳିତନଗର, ଗୁଡ଼ିଆନାଳୀ, ଦେଉଳସାହି ଆଦି ଅଞ୍ଚଳରେ ଏଭଳି ବିଜୁଳି ବିଭ୍ରାଟ ଚିନ୍ତାଜନକ ହୋଇଛି। ଏହି କାରଣରୁ ପାନୀୟ ଜଳଯୋଗାଣ ପ୍ରଭାବିତ ହେଉଛି। ପାଇପ୍‌ ସଂଯୋଗ ଥିବା ଉପଭୋକ୍ତମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ଏ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସମୀକ୍ଷା ନ ହେବା ଏବଂ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ ତାଗିଦ୍‌ କରା ନ ଯିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ଦାୟିତ୍ୱରେ ଥିବା ବିଦ୍ୟୁତ୍‌ ବିଭାଗ ପରିଚାଳକ ବିସ୍ମୟ ଦାସ କହିଛନ୍ତି, ଲୋକାଲ ପ୍ରୋବ୍ଲେମ ପାଇଁ ସମସ୍ୟା ହେଉଥିବ। କ’ଣ ହୋଇଛୁ ଆମେ ଦେଖିବୁ। ଏହାପରେ ପଦକ୍ଷେପ ନେବୁ ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ। ତେବେ ଶୁକ୍ରବାର ରାତିରେ ବିଦ୍ୟୁତ୍‌ ତାର ଛିଣ୍ଡି ଏଭଳି ବିଭ୍ରାଟ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ବିଭାଗୀୟ ପରିଚାଳକଙ୍କ ନିକଟରେ ସୂଚନା ନ ଥିବା ଆଲୋଚନାର ବିଷୟ ହୋଇଛି ା ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି।