Categories: ରାଜ୍ୟ

ଏସ୍‌ଏସ୍‌ସି ଜରିଆରେ ପୂରଣ ହେବ ଗ୍ରାମସେବକ ପଦବୀ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ଗ୍ରାମସେବକମାନଙ୍କୁ ଜିଲାପାଳ ନିଯୁକ୍ତି ଦେବେ ନାହିଁ। ଏଣିକି ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ଜରିଆରେ ଖାଲି ପଦବୀ ପୂରଣ ହେବ। ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୨୧ କାର୍ଯ୍ୟକାରୀ ହେବ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।

ଏହି ନୂତନ ନିୟମାବଳୀ ଅନୁଯାୟୀ ଖାଲିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ନିମନ୍ତେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା କରାଯାଇ ପୂରଣ କରାଯିବ। ଗ୍ରାମ ରୋଜଗାର ସେବକମାନଙ୍କର ବୟସ ସୀମା କୋହଳ କରାଯାଇଛି। ସେମାନେ ୪୫ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇପାରିବେ। ଏହାଛଡ଼ା ଗ୍ରାମ ରୋଜଗାର ସେବକମାନଙ୍କୁ ପ୍ରତିବର୍ଷ ଚାକିରି ପାଇଁ ୧ ପ୍ରତିଶତ ହିସାବରେ ସର୍ବାଧିକ ୧୫% ପର୍ଯ୍ୟନ୍ତ ନମ୍ବର ଦିଆଯାଇ ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ ଦ୍ୱାରା ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯିବ। ଗ୍ରାମସେବକମାନଙ୍କ ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପାଇଁ ଓଡ଼ିଶା ଗ୍ରାମସେବକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୦୮ ଓ ସଂଶୋଧିତ ନିୟମାବଳୀ ୨୦୨୧ ଏବଂ ୨୦୧୩ ପ୍ରଣୟନ ହୋଇଥିଲା। ପ୍ରଚଳିତ ନିୟମ ଅନୁସାରେ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ୫ ବର୍ଷ ଅଭିଜ୍ଞତା ଥିବା ଗ୍ରାମ ରୋଜଗାର ସେବକମାନଙ୍କୁ ୩୦% ଖାଲି ପଦବୀରେ ଚୟନ ପ୍ରକ୍ରିୟା ଦ୍ୱାରା କରାଯାଉଥିବା ବେଳେ ୭୦ ପ୍ରତିଶତ ଖାଲି ପଦବୀରେ ଜିଲାପାଳଙ୍କ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି କରାଯାଉଛି। ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ରଖିଥିବା ନମ୍ବର ଆଧାରରେ ଚୟନ କରାଯାଉଛି। ତେବେ ଏହି ନିଯୁକ୍ତିକୁ ନେଇ ଅନେକ ବିବାଦ ଦେଖାଦେଉଛି। ଏହି ବିବାଦୀୟ ପରିସ୍ଥିତିକୁ ଏଡ଼ାଇବାକୁ ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୨୧ ପ୍ରଣୟନ ନିମନ୍ତେ ପ୍ରସ୍ତାବ ଅଣାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ରାଜ୍ୟ କ୍ୟାବିନେଟ ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଦ୍ୱାରା ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ଅଧୀନରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦିଗରେ ସହାୟକ ହେବ।