ପାରାଦୀପ ବନ୍ଦର ନାମ ବଦଳିଲା

ପାରାଦୀପ,୨୯ା୩(ସ୍ବ.ପ୍ର.):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପର ନାମ ସୋମବାର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ଥିବା ବେଳେ ଏବେ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ରଖାଯାଇଛି। ଏ ନେଇ ସୋମବାର ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ନୂତନ ସର୍କୁଲାର ଜାରି କରାଯାଇଛି। କେନ୍ଦ୍ର ସରକାର ପୂର୍ବରୁ ଥିବା ମେଜର ପୋର୍ଟ ଆଇନ ୧୯୬୩କୁ ବଦଳାଇ ଏବେ ମେଜର ପୋର୍ଟ ଅଥରିଟି (ଏମ୍‌ପିଏ)ଆଇନ ୨୦୨୧ ଲାଗୁ କରିଛନ୍ତି। ଏସମ୍ପର୍କରେ ବନ୍ଦର ପ୍ରଶାସନିକ ଭବନରେ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ୍ଦର ଅଧ୍ୟକ୍ଷ ପି.ଏଲ୍‌ ହାରାନ୍ଧ ଯୋଗଦେଇ ଏମ୍‌ପିଏ ଆଇନ ଧାରା ୩ ପ୍ରାଧିକରଣ ଅନୁସାରେ ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖିଥିଲେ। ପରେ ବୋର୍ଡ ପକ୍ଷରୁ ନୂତନ ନାମକୁ ମଞ୍ଜୁରୀ ମିଳିଥିଲା। ପରିବର୍ତ୍ତିତ ନାମକୁ ସ୍ବୀକୃତି ମିଳିବା ପରେ ବନ୍ଦର ସଚିବ ପି.ଏନ୍‌ ବେହେକର ସମସ୍ତ ବିଭାଗୀୟ ମୁଖ୍ୟ ଓ ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ ଏସମ୍ପର୍କରେ ବିଜ୍ଞପ୍ତି ଜାରି କରିବା ସହ ନୂତନ ଲୋଗୋ ସାର୍ବଜନୀନ କରିଥିଲେ। ପାରାଦୀପ ବନ୍ଦର ସମେତ ଦେଶର ଅନ୍ୟ ବୃହତ୍‌ ବନ୍ଦରଗୁଡ଼ିକୁ ଘରୋଇକରଣ କରିବା ବିରୋଧରେ ଦେଶବ୍ୟାପୀ କେନ୍ଦ୍ରୀୟ ସଂଗଠନ ଗୁଡ଼ିକ ପକ୍ଷରୁ ସୋମବାରଠାରୁ ୨ ଦିନିଆ ଧର୍ମଘଟ ଜାରି ରହିଛି। ଏହି ସମୟରେ ପାରାଦୀପ ବନ୍ଦର ନାମ ପରିବର୍ତ୍ତନ କରିବା ବିଷୟକୁ ନେଇ ଶ୍ରମିକ ନେତା ବିଭୂତି ମହାରଣା, ଅନନ୍ତ ଦାସ, ନୃସିଂହ ପ୍ରସାଦ ଶତପଥୀ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି।