ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଛି। ମିତ୍ତଲ କହିଛନ୍ତି ଯେ, ପରିବାର, ନିଜର ପ୍ରାଥମିକତା ଏବଂ ଲେଖାଲେଖି, ଶିକ୍ଷାଦାନ ତଥା ସମାଜସେବା ଭଳି ଅନ୍ୟାନ୍ୟ ରୁଚି ବିଷୟରେ ଚିନ୍ତା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଇଣ୍ଟରନେଟ୍‌ରେ ଏହାକୁ ନେଇ ଭିନ୍ନ ଆଲୋଚନା ଚାଲିଛି। ସେ ମିର୍ଜାପୁର କିମ୍ବା ଦେଓରିଆରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି। ଜିଲା ମାଜିଷ୍ଟ୍ରେଟ ଭାବରେ ସେ ଏହି ଦୁଇ ଅଞ୍ଚଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମିର୍ଜାପୁରରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍ଥାନୀୟ ରାଜନୈତିକ ନେତାଙ୍କ ସହ ହୋଇଥିବା ବିବାଦ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି। ଏହା ସହ ଏହି ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦିଆଯାଉଛି। କୁହାଯାଉଛି, ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଏକ ବୈଠକ ହୋଇଛି। ୨୦୨୭ ନିର୍ବାଚନ ସହ ଏହାର ସମ୍ପର୍କ ଥିବା ସୂଚନା ମିଳୁଛି। ହେଲେ ସେ ରାଜନୀତିରେ ଯୋଗ ଦେଉଛନ୍ତି ବୋଲି ଏସବୁ ମଧ୍ୟରୁ କୌଣସିଟି ପ୍ରମାଣିତ କରୁନାହିଁ । ମିତ୍ତଲ ବର୍ତ୍ତମାନ ପାଇଁ ଏଭଳି କୌଣସି ଯୋଜନା ନାହିଁ ବୋଲି କହିଛନ୍ତି। ତଥାପି, ‘ସମୟ ଆସିଲେ କହିବି’ ବୋଲି ମନ୍ତବ୍ୟ ଦେବା ରହସ୍ୟଜନକ ମନେହୁଏ। ଏହା କୌଣସି ରାଜନୈତିକ ଘୋଷଣା ନ ହେଲେ ବି ଉତ୍ତର ପ୍ରଦେଶରେ ଗୁଜବ ପାଇଁ ଯଥେଷ୍ଟ। ଏହାସହ ତାଙ୍କୁ ଫିଲ୍ଡ ପୋଷ୍ଟିଂରୁ ରାଜସ୍ବ ବିଭାଗକୁ ବଦଳି କରାଯିବା ତାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିଛି କି ନାହିଁ, ସେ ନେଇ ପ୍ରଶ୍ନ ଉଠୁଛି। ଇସ୍ତଫା ଦେବା ସତ୍ୟ। ରାଜନୀତି କେବଳ ଅନୁମାନ ସାପେକ୍ଷ। କିନ୍ତୁ ଏହା ବି ସତ ଯେ, ଉତ୍ତର ପ୍ରଦେଶରେ ଜଣେ ଲୋକପ୍ରିୟ ଆଇଏଏସ୍‌ ଅଫିସର ଇସ୍ତଫା ଦେଇ ସାର୍ବଜନୀନ ଜୀବନରୁ ସହଜରେ ଅଦୃଶ୍ୟ ହୋଇଯାଆନ୍ତି ନାହିଁ।
ଏନ୍‌ଟିଏରେ ନୂଆ ନିଯୁକ୍ତି
କେନ୍ଦ୍ର ସରକାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ମଜଭୁତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ୩ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାର ଗୋଟିଏ ଦିନ ପରେ ଆଉ ଦୁଇ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ମୋଟ ୫ଜଣ ଅଧିକାରୀଙ୍କୁ ଏନ୍‌ଟିଏକୁ ଅଣାଯାଇଛି। କିନ୍ତୁ ବାସ୍ତବତା ହେଉଛି, ବାରମ୍ବାର ପରୀକ୍ଷା ବିବାଦ ଦେଖାଦେବା ପରେ ଏହି ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ଦରକାର ପଡ଼ିଲା। ସୂଚନା ମିଳିଛି ଯେ, ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି, ପ୍ରାୟ ୬୦୦ ବିଶେଷଜ୍ଞଙ୍କୁ ଏହାର ପ୍ୟାନେଲରୁ ହଟାଇ ଦିଆଯାଇଛି ଏବଂ ତଥ୍ୟ ସୁରକ୍ଷା, ପରୀକ୍ଷା ପରିଚାଳନା ଏବଂ ଫୋରେନସିକ୍ସ ଭଳି ବରିଷ୍ଠ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର କାର୍ଯ୍ୟାଳୟଗୁଡ଼ିକୁ ସିଆଇଏସ୍‌ଏଫ୍‌ ସୁରକ୍ଷା ସହ ଅଧିକ ସୁରକ୍ଷିତ ବଳୟକୁ ସ୍ଥାନାନ୍ତର କରାଯାଉଛି ଏବଂ ପ୍ରଶ୍ନପତ୍ର ପାଇଁ ଏକ ଚାରି-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା ପାଇଁ ଯୋଜନା କରାଯାଉଛି। ଏସବୁ ନିଶ୍ଚିତ ଭାବେ ବଡ଼ ପଦକ୍ଷେପ। କିନ୍ତୁ କର୍ମଚାରୀଙ୍କୁ ବଦଳାଇ ଦେଲେ ଉତ୍ତରଦାୟିତ୍ୱ ଶେଷ ହୋଇଯାଏ ନାହିଁ। ଯଦି ଏକ ପରୀକ୍ଷା ବ୍ୟବସ୍ଥା ବିଫଳ ହୁଏ, ତେବେ ବିଶେଷଜ୍ଞଙ୍କ ନିଯୁକ୍ତି ଓ ଯାଞ୍ଚଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ପ୍ରସ୍ତୁତି, ଟେକ୍ନୋଲୋଜି ଭେଣ୍ଡର, ସଂରକ୍ଷଣ, ପ୍ରବେଶ ଏବଂ ପ୍ରେରଣ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଉଚିତ। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ସ୍ବାକ୍ଷର ବା ଅନୁମୋଦନ କରୁଥିବା ବ୍ୟକ୍ତି ଚିହ୍ନଟ ହେବା ଦରକାର। ଚାରି ସ୍ତରର ଯାଞ୍ଚ ବ୍ୟବସ୍ଥା ସ୍ବଚ୍ଛ ଦାୟିତ୍ୱର ବିକଳ୍ପ ନୁହେଁ। ଯଦି ସେଥିରେ ପ୍ରତ୍ୟେକ ହସ୍ତାନ୍ତରର ରେକର୍ଡ ଏବଂ ଅଡିଟ୍‌ କରା ନ ଯାଏ ତେବେ ଏକ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ଯୋଡ଼ିବା ଦ୍ୱାରା ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପାରେ।
ମୂଳ କ୍ୟାଡରକୁ ଫେରିଲେ
କେନ୍ଦ୍ରରୁ ଦୁଇଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିଜ ମୂଳ କ୍ୟାଡରକୁ ଫେରାଇ ଆଣିବା ଘଟଣା ମନେପକାଇଦିଏ ଯେ, ଭାରତର ଅମଲାତନ୍ତ୍ର ବ୍ୟବସ୍ଥାରେ ଡେପୁଟେଶନ କେବେ ବି ଏକତରଫା ରାସ୍ତା ନୁହେଁ। ତାମିଲନାଡୁ କ୍ୟାଡର ୧୯୯୯ ବ୍ୟାଚ୍‌ ଅଧିକାରୀ ଆଶିଷ ଚାଟାର୍ଜୀଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ରୀୟ ଇସ୍ପାତ ମନ୍ତ୍ରଣାଳୟରୁ ଫେରାଇ ଅଣାଯାଇଛି। ସେ ବର୍ତ୍ତମାନ ଚେନ୍ନାଇ ମେଟ୍ରୋ ରେଲ୍‌ ଲିମିଟେଡ୍‌ର ପ୍ରିନ୍ସିପାଲ ସେକ୍ରେଟାରି ଏବଂ ମ୍ୟାନେଜିଂ ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ନେଟୱର୍କର ବୃହତ୍‌ ସମ୍ପ୍ରସାରଣ ହେବାକୁ ଥିବାରୁ, ଏହି ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ। ତାଙ୍କ ନିଯୁକ୍ତି ବାର୍ତ୍ତା ଦିଏ ଯେ, ତାମିଲନାଡୁ ସଚିବାଳୟର ସାଧାରଣ ଫାଇଲ କାମ ବ୍ୟତୀତ ଚାଟାର୍ଜୀଙ୍କୁ ଅନ୍ୟ ଏକ ବଡ଼ କାମରେ ଲଗାଇବାକୁ ଯୋଜନା ଥିଲା। ଏହା ବ୍ୟତୀତ ସଞ୍ଜୟ କୁମାରଙ୍କ ମାମଲା ଭିନ୍ନ । ଏଜିଏମ୍‌ୟୁଟି କ୍ୟାଡରର ଏହି ୨୦୦୮ ବ୍ୟାଚ୍‌ ଅଧିକାରୀଙ୍କୁ ବ୍ୟକ୍ତିଗତ କାରଣରୁ ଏବଂ ନିର୍ବାଚନ କମିଶନଙ୍କ ପ୍ରସ୍ତାବ କ୍ରମେ ସମୟ ପୂର୍ବରୁ ନିଜ କ୍ୟାଡରକୁ ପଠାଇଦିଆଯାଇଛି। ତାଙ୍କର ଡେପୁଟେଶନ ଅବଧି ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଥିଲା। ଏହି ନିଷ୍ପତ୍ତି ପଛରେ କୌଣସି ରହସ୍ୟ ଖୋଜିବାର ଆବଶ୍ୟକତା ନାହିଁ। କିନ୍ତୁ ତାଙ୍କ ପ୍ରସ୍ଥାନ ଯୋଗୁ ନିର୍ବାଚନ କମିଶନଙ୍କ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ ଏକ ବରିଷ୍ଠ ପଦବୀ ଖାଲିପଡ଼ିଛି। ଏହି ଦୁଇଟିଯାକ ଘଟଣା ଆାଇଏଏସ୍‌ ବ୍ୟବସ୍ଥାର ଏକ ସତ୍ୟକୁ ଦର୍ଶାଏ। ଅର୍ଥାତ୍‌ କେନ୍ଦ୍ର ସରକାର ଡେପୁଟେଶନକୁ ନିୟନ୍ତ୍ରଣ କଲେ ମଧ୍ୟ କ୍ୟାଡରମାନେ ନିଜର ଦକ୍ଷ ଅଧିକାରୀମାନଙ୍କ ଉପରେ ଦୃଢ଼ ଦାବି ରଖନ୍ତି।
Email: dilipcherian@gmail.com

Odisha’s No.1 Odia Daily

Share