ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ

ଭଦ୍ରକ,୫ା୪(ସନାତନ ରାଉତ):ଭଦ୍ରକର ଚର୍ଚ୍ଚିତ ଯୁବନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ ଇସ୍ତଫା ଦେବା ପରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ଭଦ୍ରକବାସୀ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ସେ ଆଗକୁ ବଢ଼ିବେ ବୋଲି ଅସିତ କହିଛନ୍ତି। ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ନରିପୁରସ୍ଥିତ ବାସଭବନରେ ଗୁରୁବାର ସନ୍ଧ୍ୟାରେ ଖବରଦାତା ସମ୍ମିଳନୀରେ ସେ କ୍ଷୋଭ ପ୍ରକାଶ କରି କହିଛନ୍ତି, ବିଜେଡିରେ ତାଙ୍କ ପ୍ରତି ଅବିଚାର କରାଯାଇଛି। ଦଳୀୟ ନିଷ୍ପତ୍ତି ଭଦ୍ରକ ପାଇଁ କ୍ଷତିକାରକ। ଗତ ୫ ବର୍ଷରେ ଭଦ୍ରକରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ। ବିଧାୟକ ଏବଂ ପୌରାଧ୍ୟକ୍ଷାଙ୍କ ମଧ୍ୟରେ ବାଦ ବିବାଦ ସବୁବେଳେ ଲାଗି ରହିଥିବାରୁ ଭଦ୍ରକ ବିକାଶରେ ବାଧା ସୃଷ୍ଟି ହେଉଥିଲା। ଭଦ୍ରକ ଓ ଭଣ୍ଡାରିପୋଖରୀର ବିଧାୟକଙ୍କୁ ବଦଳ କରି ପ୍ରାର୍ଥୀ ଘୋଷଣା କରାଯିବା ଭଦ୍ରକ ପ୍ରତି ଅବହେଳା ହୋଇଛି। ତାଙ୍କର କର୍ମୀ ଓ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେମାନଙ୍କ ମତାମତ ନେଇ ଆଗାମୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ପରେ ଭଦ୍ରକ ପୌରପାଳିକା ଓ ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ, ସମର୍ଥକଙ୍କୁ ନେଇ ସେ ଏକ ବୈଠକ କରି ଏନେଇ ଆଲୋଚନା କରିଛନ୍ତି। ତେବେ ଗତ ପୌରପାଳିକା ନିର୍ବାଚନରେ ବିଜୟୀ ହୋଇଥିବା ସ୍ବାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଓ ତାଙ୍କ ପ୍ରତିନିଧି ଯୁବନେତା ଜାହିଦ ହବିବଙ୍କୁ ବୈଠକରେ ଦେଖିବାକୁ ମିଳି ନ ଥିଲା। ଜାହିଦ ହବିବ ଓ ଅସିତ୍‌ ଭଦ୍ରକ ବିଧାୟକଙ୍କ ବିରୋଧରେ ଗତ ୨ ବର୍ଷ ଧରି ମିଳିତ ରଣନୀତି ପ୍ରସ୍ତୁତ କରି ଆସୁଥିବା ବେଳେ ଏହି ବୈଠକରେ ଜାହିଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶଥାଉ କି, ଅସିତ ବୁଧବାର ରାତିରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଦଳରେ ତାଙ୍କୁ କ୍ରମାଗତ ଭାବେ ଅବହେଳା କରାଯାଉଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।