ପୋଲିସ-ଗ୍ରାମବାସୀ ଗଣ୍ଡଗୋଳ: ଫାଙ୍କା ଗୁଳିଚାଳନା

କାଲିମେଳା,୧୩ା୧(ଡି.ଏନ.ଏ.): ଜୁଆ ଆଡ୍ଡା ଓ କୁକୁଡ଼ାଗାଲି ଉପରେ ଚଢ଼ାଉ କରିବାରୁ ପୋଲିସକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି। ଦୀର୍ଘ ସମୟ ଧରି ପୋଲିସ- ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଏସ୍‌ଡିପିଓ ଆହତ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ୧୬ ଜଣଙ୍କୁ ପୋଲିସ ଗିରଫ କରିଛି। ସୋମବାର ରାତିରେ ଏପରି ଏକ ଘଟଣା ମାଲକାନଗିରି ଜିଲା କାଲିମେଳା ବ୍ଲକରେ ଘଟିଛି। ୧୩/୨୧ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।
ଖବରରୁ ଜଣାପଡିଛି ମକର ସଂକ୍ରାନ୍ତି ଉପଲକ୍ଷେ କାଲିମେଳା ଥାନା ଅନ୍ତର୍ଗତ କୋଇମେଟଲା ପଞ୍ଚାୟତର ମାରନପାଲି ଗ୍ରାମ ନିକଟସ୍ଥ ଏକ ପଡିଆରେ କୁକୁଡାଗାଲି ଏବଂ ଜୁଆଖେଳ ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ମାଲକାନଗିରି ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଅଭିଳାଷ ଜି.ଙ୍କ ନେତୃତ୍ୱରେ ଏକ ୯ ଜଣିଆ ପୋଲିସ ଟିମ୍‌ ରାତି ୧୦ଟାରେ ଗ୍ରାମକୁ ଯାଇ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି କେତେଜଣ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉପସ୍ଥିତ ଅନ୍ୟମାନଙ୍କୁ ପୋଲିସ ଗିରଫ କରିଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ମୁହଁାମୁହଁି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମବାସୀ ଟେକାପଥର ମାଡ କରି ପୋଲିସ ଉପରେ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଏସ୍‌ଡିପିଓ ଅଭିଳାଷ ଜି.ଙ୍କ ବନ୍ଧୁକ ଛଡାଇନେବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସେ ଆହତ ହୋଇଛନ୍ତି। ଅନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପୋଲିସ ସେଠାରେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିବା ସେଠାରେ ଦୋକାନ ଦେଇଥିବା କେତେଜଣ ବ୍ୟବସାୟୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଛି। ତେବେ କିଛି ଅଘଟଣ ଆଶଙ୍କାରେ ଗ୍ରାମରେ ପୋଲିସ ମୁତୟନ ହୋଇଛନ୍ତି। ମଙ୍ଗଳବାର ମାଲକାନଗିରି ଏସ୍‌ପି କାଲିମେଳାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନକରି ଫେରିଛନ୍ତି। ଆହତ ଏସ୍‌ଡିପିଓଙ୍କୁ ଚିକିତ୍ସା ଲାଗି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଗିରଫ ୧୬ ଜଣଙ୍କ ମଧ୍ୟରେ ମାରନପାଲି ଗ୍ରାମର ୬ ଜଣ, ଏମ୍‌ପିଭି-୩୩ ଗ୍ରାମର ୪, ସେରିଗୁଡା ଗ୍ରାମର ୨ ଓ ନାମକୋଣ୍ଡା ଗ୍ରାମର ୪ଜଣ ରହିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।