ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ ବୋର୍ଡ ଲାଇଟ ଜଳୁଥିବା ବେଳେ କାର୍ଯ୍ୟାଳୟ ମୁଖ୍ୟ ଦ୍ୱାରରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅବକାରୀ ବିଭାଗର ଏପରି ଖାମଖିଆଲି ମନୋଭାବ ଚୋରା ମଦ ଓ ଗଞ୍ଜେଇ କାରବାରଙ୍କୁ ବେଶ ସୁହାଉଥିବା ସାଧାରଣରେ ଆଲୋଚନା ହେଉଛି। ଲୋଇସିଂହା ଓ ଆଗଲପୁର ବ୍ଲକକୁ ନେଇ ଲୋଇସିଂହା ଅବକାରୀ ଥାନା କାର୍ଯ୍ୟ କରୁଛି। ଦୀର୍ଘବର୍ଷ ଧରି ଏହି କାର୍ଯ୍ୟାଳୟ ଏକ ଭଡା ଘରେ ଚାଲିଥିଲା। ଗତ କିଛି ବର୍ଷ ହେବ ଲୋଇସିଂହା-ସୁଜିଆ ରାସ୍ତାରେ ୨ ମହଲା ବିଶିଷ୍ଟ ଅବକାରୀ ଥାନା କାର୍ଯ୍ୟ କରୁଛି। ଏଠାରେ ଜଣେ ଏସ୍ଆଇ,ଏଏସ୍ଆଇ, କନଷ୍ଟେବଳ ଅଛନ୍ତି। ଲୋଇସିଂହା ବ୍ଲକର ୨୦ ଓ ଆଗଲପୁର ବ୍ଲକର ୨୦ ଏପରି ମୋଟ ୪୦ ପଞ୍ଚାୟତ ରହିଛି। ତେବେ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ଏହି ଅଞ୍ଚଳ ଚୋରା ମଦ ଓ ଗଞ୍ଜେଇ କାରବାରର ପେଣ୍ଠସ୍ଥଳ ପାଲଟିଛି। ଲୋଇସିଂହା ଓ ଆଗଲପୁର ବ୍ଲକ ଦେଇ ବେଧଡକ ଭାବେ ରନ୍ଧା ମଦ ଓ ଗଞ୍ଜେଇ ଜିଲା ତଥା ରାଜ୍ୟ ବାହରକୁ ଚାଲାଣ ହେଉଛି। ବୁର୍ଡା-ସୋନପୁର, ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ, ଲୋଇସିଂହା-ପଦ୍ମପୁର, କୁମୁଣ୍ଡେ-ଛେଲବାହାଲ-ଗୋପାଳପୁର, ଲୁହୁରାପାଲି-ବୁର୍ଡା, ବୁର୍ଡା-ବାଞ୍ଜିପାଲି, ସାଲେଭଟା-କୁଟାସିଂହା, ସାଲେଭଟା-ଆଗଲପୁର ରାସ୍ତା ଦେଇ ବେଧଡକ ଭାବେ ଚୋରାଚାଲାଣ କରାଯାଉଛି। କର୍ମଚାରୀ ଅଭାବ ଦେଖାଇ ଅବକାରୀ ବିଭାଗ ପକ୍ଷରୁ ଉପରୋକ୍ତ ରାସ୍ତାଗୁଡିକରେ ଯାଞ୍ଚ ହେଉନାହିଁ। ମଝିରେ ମଝିରେ ପୋଲିସ ପକ୍ଷରୁ ଧରପଗଡ କରାଯାଉଛି। କିଛି ମାସ ପୂର୍ବରୁ ସାଲେଭଟା-କୁଟାସିଂହା ରାସ୍ତାର ମୁରଶୁଣ୍ଢି ନିକଟରେ ଏକ କାର୍କୁ ପିଛା କରି ବିପୁଳ ପରିମାଣର ଗଞ୍ଜେଇ ଲୋଇସିଂହା ପୋଲିସ ଜବତ କରିଥିଲା। କିନ୍ତୁ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସେପରି ତତ୍ପରତା ଦେଖିବାକୁ ମିଳୁନାହିଁ। ଅପରପକ୍ଷେ ଗାଁ ଗାଁରେ ବହୁ ସଂଖ୍ୟକ କୁଚିଆ ମଦ କୋଠି ଖୋଲି ରନ୍ଧା ଓ ଦେଶୀ ମଦ ବେଆଇନ ଭାବେ ବିକ୍ରି ହେଉଛି। ଏହାକୁ ମଧ୍ୟ ଅବକାରୀ ବିଭାଗ ରୋକିବାରେ ବିଫଳ ହୋଇଛି। ଫଳରେ ଗାଁଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟରେ ତାଲା ପଡିବା ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଏସ୍ଆଇ ମାନସିଂ ମୁଣ୍ଡାଙ୍କୁ ଫୋନ ଯୋଗେ ଯୋଗାଯୋଗ ଲାଗି ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ସାର୍ ମେଡିକାଲ କାମରେ ଛୁଟିରେ ଅଛନ୍ତି ା ସେ ନିଜେ ଜିଲା କାର୍ଯ୍ୟାଳୟକୁ ଏକ କାମରେ ଯାଇଥିବା କହିଥିଲେ। କାର୍ଯ୍ୟାଳୟରେ ୪ରୁ ୫ ଜଣ ଷ୍ଟାଫ୍ ଅଛନ୍ତି। ଅବକାରୀ ଥାନା ହୋଇଥିବାରୁ ଏହା ୨୪ ଘଣ୍ଟା ଖୋଲା ରହିବା ସହ କେହି ଜଣେ ଷ୍ଟାଫ ରହିବା କଥା। ତେବେ ନିୟମିତ ଭାବରେ ଏହି କାର୍ଯ୍ୟାଳୟ ଏପରି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲା ଅବକାରୀ ଅଧୀକ୍ଷକଙ୍କ ତରଫରୁ ଏହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।
Dharitri – Odisha’s No.1 Odia Daily

