ମଶାଣିରୁ ଯୁବକଙ୍କ ମୃତଦେହ ଉଠାଇନେଲା ପୋଲିସ

କଣ୍ଟାବାଞ୍ଜି,୨୩ା୧(ଗୁରୁ ଦୟାଲ ହଂସ): ପରିବାର ଲୋକେ ଜଣେ ଯୁବକଙ୍କ ମୃତଦେହ ସତ୍କାର ପାଇଁ ମଶାଣିକୁ ନେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବେହେରେନସିଲେଟ ଗାଁରେ ମଙ୍ଗଳବାର ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ବିନୋଦ ଚିନାଗୁନ (୧୮)। ତାଙ୍କ ବାପା ଦିବା ଚିନାଗୁନଙ୍କ କହିବା ଅନୁସାରେ, ବିନୋଦ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଗାଁରେ ଅଧିକାଂଶ ସମୟ ବୁଲାବୁଲି କରୁଥିଲେ। ସୋମବାର ରାତିରେ ସେ ଖାଇସାରି ଶୋଇଥିବା ବେଳେ ସକାଳେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଥାନା ଅଧିକାରୀ ରଶ୍ମିତା ବେହେରା କହିଛନ୍ତି, ଯୁବକ ଜଣକ ନିଜ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ କ୍ରମେ ମୃତଦେହ ଜବତ କରାଯାଇଛି। ଏନେଇ ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।