ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ପାଉନି ପୋଲିସ

ଅନୁଗୋଳ ଅଫିସ, ୨୩।୪: ଅନୁଗୋଳ ସହର ହୁଲୁରିସିଂହା ଠାରେ ଶୁକ୍ରବାର ରାତିରେ ସ୍ଥାନୀୟ ଯୁବକ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ପ୍ରକାଶଙ୍କ ଦେହରେ ୩୦ରୁ ଅଧିକ ଚୋଟ ରହିଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି। ହେଲେ ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ କରିବା ଓ ଘଟଣାକୁ ୨୪ ଘଣ୍ଟା ପୂରିଯିବା ସତ୍ତ୍ୱେ ଏଯାଏ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଇପାରିନାହିଁ ପୋଲିସ। ଏକାଧିକ ଲୋକଙ୍କୁ ପଚରାଉଚରା କରାଯାଇଥିଲେ ବି ଘଟଣାର ରହସ୍ୟ ଜାଣିପାରି ନାହିଁ ପୋଲିସ। ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ହୁଲୁରିସିଂହାର ପ୍ରକାଶଙ୍କ ଏକ ବ୍ରଏଲର ପଏଣ୍ଟ ରହିଛି। ଶୁକ୍ରବାର ରାତିରେ ଦୋକାନ ଖୋଲା ଥିବାବେଳେ ସେଠାରୁ ଅଳ୍ପ ଦୂରରେ ପ୍ରକାଶଙ୍କ ମୃତଦେହ ପୋଲିସ ଠାବ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଥିବା ଓ ଏଥିରେ ୩ରୁ ଅଧିକ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଶନିବାର ଦିନ ତମାମ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବା ସତ୍ତ୍ୱେ ହତ୍ୟାକାଣ୍ଡର କାରଣ ସମ୍ପର୍କରେ କୌଣସି ତଥ୍ୟ ପୋଲିସକୁ ମିଳିପାରି ନାହିଁ। ଘଟଣାସ୍ଥଳରୁ ଏକ ମୋବାଇଲ ମିଳିଥିବା ବେଳେ ଅନ୍ଧାରରେ ବାଡ଼ି ବୁଲାଉଥିବା ପୋଲିସ ହୁଲୁରିସିଂହାର ଏକାଧିକ ଲୋକଙ୍କୁ ଡାକି ପଚରାଉଚରା କରୁଛି। ଅନୁଗୋଳ ସହରରେ ପୂର୍ବରୁ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟି ନ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ପ୍ରକାଶଙ୍କ ସହ କାହାର ଶତ୍ରୁତା ଥିଲା ଓ ସେମାନେ ସ୍ଥାନୀୟ ଅଞ୍ଚଳର କିମ୍ବା ଜିଲା ବାହାରର, ସେ ନେଇ ଆଲୋଚନା ଜୋର୍‌ ଧରିଛି। କିନ୍ତୁ ପୋଲିସକୁ କୌଣସି ତଥ୍ୟ ମିଳିପାରି ନ ଥିବାରୁ ଘଟଣା ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପକ୍ଷରେ ପୋଲିସ ଜିଲା ମୁଖ୍ୟ ଚିକିତ୍ସଳୟରେ ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ଅପରାହ୍ନ ୪ଟାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।