ପୋଲିସ ପିଟିଲା, ଭୁଲ୍‌ ମଗାଇଲା

ପୁରୀ ଅଫିସ,୧।୫: ପୁରୀ ମୋଚିସାହି କୋଭିଡ୍‌ ଟେଷ୍ଟିଂ ସେଣ୍ଟରରେ ହେଉଥିବା ଅନିୟମିତତାକୁ ବିରୋଧ କରିବାରୁ ଶୁକ୍ରବାର ଜଣେ ବଙ୍ଗୀୟ ଯୁବକଙ୍କୁ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ସମ୍ପୃକ୍ତ ଯୁବକ ଅମ୍ରିତ୍‌ ରୟଙ୍କୁ ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଛି। ଏହି ଘଟଣାର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଅନ୍ୟପକ୍ଷେ ସମ୍ପୃକ୍ତ ଯୁବକଙ୍କ ବିଶୃଙ୍ଖଳିତ ଆଚରଣ ନେଇ ପୋଲିସ ବାରଣ କରିବାରୁ ସେ ଖରାପ ବ୍ୟବହାର ଦେଖାଇଥିଲେ। ପରେ ଥାନାରେ ସେ ଭୁଲ ମାନିଥିବା ଟାଉନ ଥାନା ପକ୍ଷରୁ କୁହାଯାଇଛି।
ପଶ୍ଚିମବଙ୍ଗର ଅମ୍ରିତଙ୍କ ଅଭିଯୋଗ ଅନୁଯାୟୀ, ସେ ପୁରୀ ସହରରେ ରହିବା ସହ ଏଠାକରେ ଏକ ଅଫିସରେ କାର୍ଯ୍ୟ କରନ୍ତି। ଶୁକ୍ରବାର ସେ କୋଭିଡ୍‌ ଟେଷ୍ଟ ପାଇଁ ପୁରୀ ମୋଚିସାହି କୋଭିଡ୍‌ ଟେଷ୍ଟିଂ ସେଣ୍ଟରକୁ ଯାଇଥିଲେ। ସେଠାରେ ସେ ଧାଡ଼ିରେ ଛିଡ଼ା ହୋଇଥିବାବେଳେ କେତେଜଣ ବ୍ୟକ୍ତି ଧାଡ଼ି ଭାଙ୍ଗି ଟେଷ୍ଟିଂ କରାଉଥିବା ଦେଖିବାକୁ ପାଇଥିଲେ। ଏପରି କି ସାମାଜିକ ଦୂରତା ରହି ନ ଥିଲା। ଏ ନେଇ ସେଠାରେ ଥିବା ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ପୋଲିସ ନ ଶୁଣିବାରୁ ଅମ୍ରିତ ଭିଡିଓ ରେକର୍ଡିଂ କରୁଥିଲେ। ଏହା ଦେଖି ଜଣେ ମହିଳା ପୋଲିସ କର୍ମଚାରୀ କ୍ଷୁବ୍ଧ ହୋଇ ତାଙ୍କୁ ମାଡ଼ ମାରିବା ସହ ଧକ୍କା ଦେଇ ଟେଷ୍ଟିଂ ସେଣ୍ଟରରୁ ବିଦା କରିଦେଇଥିଲେ। ପରେ ପିସିଆର ଭ୍ୟାନ୍‌ରେ ତାଙ୍କୁ ଟାଉନ ଥାନାକୁ ନିଆଯାଇଥିଲା। ତେବେ ପୋଲିସ ଘଟଣା ବୁଝିବା ପରିବର୍ତ୍ତେ ସମ୍ପୃକ୍ତ ମହିଳା ପୋଲିସ କର୍ମଚାରୀଙ୍କୁ ଡକାଇ ତାଙ୍କୁ ଭୁଲ ମାଗିବାକୁ ବାଧ୍ୟ କରିଥିଲା। ନଚେତ ମାମଲା ରୁଜୁ କରାଯିବ ବୋଲି ଧମକ ଦେଇଥିଲା। ଫଳରେ ଅମ୍ରିତ ନିରୁପାୟ ହୋଇ ଭୁଲ ମାଗି ଥାନାରୁ ଫେରିଥିଲେ। ଭିଡିଓ ହୋଇଥିବା ପୋଲିସ ଆକ୍ରମଣର କିଛି ଅଂଶ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ମହିଳା ପୋଲିସ କର୍ମଚାରୀ ଜଣକ ଅମ୍ରିତଙ୍କ ଶାର୍ଟ ଧରିଥିବାର ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏଭଳି ଅଭିଯୋଗକୁ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ଖଣ୍ଡନ କରିଛନ୍ତି। ଆଇଆଇସି କହିଛନ୍ତି, ସମ୍ପୃକ୍ତ ଯୁବକ ଧାଡ଼ି ଭାଙ୍ଗି ବିଶୃଙ୍ଖଳିତ ଆଚରଣ ଦେଖାଉଥିଲେ। ପୋଲିସ ତାଙ୍କୁ ବାରଣ କରିବାରୁ ସେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ଥାନାରେ ସେ ଭୁଲ କରିଥିବା ଲିଖିତ ଭାବେ ସ୍ବୀକାର କରି ଚାଲିଯାଇଛନ୍ତି। ଅପରପକ୍ଷେ ଶୁକ୍ରବାର ମୋଚିସାହି କଲ୍ୟାଣମଣ୍ଡପରେ କୋଭିଡ୍‌ ଟେଷ୍ଟ ପାଇଁ ଭିଡ଼ ଜମିଥିଲା। ସେଠାରେ ଥିବା ପୋଲିସ କର୍ମଚାରୀ ନୀରବଦ୍ରଷ୍ଟା ସାଜିଥିଲେ। ଧାଡ଼ିରେ ଲୋକେ ଦୀର୍ଘ ସମୟ ଅପେକ୍ଷା କରିଥିବା ବେଳେ ଚିହ୍ନାଜଣାଙ୍କୁ ପ୍ରାଥମିକତା ଦିଆଯାଇ ଟେଷ୍ଟିଂ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଶେଷରେ କିଟ୍‌ ନ ଥିବା କହି ଲୋକଙ୍କୁ ଫେରାଇ ଦିଆଯାଇଥିଲା।