କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ ସଭାପତିତ୍ୱରେ ଋଷି ସାହା ସଂସ୍କୃତି ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ ନଗରପାଳ ଡ. ହେମସାଗର ସାହା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱରର ସାଂସ୍କୃତିକ ଗବେଷକ ତଥା ବିଶିଷ୍ଟ ବାଗ୍ମୀ ଡ. କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ଜୀବନୀ, ଆଦର୍ଶ, ନୀତି ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ସାଙ୍ଗଠନିକ ସମ୍ପାଦକ ଜାଦବେନ୍ଦ୍ର ସାହା ଅତିଥି ପରିଚୟ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ ଏବଂ ଉପସଭାପତି ରୁବି ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଜଣ ସାହିତ୍ୟ ଗବେଷକ ଡ. ରାଜେଶ କୁମାର ବିଶି ଓ ଅଜିତ କୁମାର ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ବତୀ ବିଦ୍ୟାମନ୍ଦିର ଛାତ୍ରୀଛାତ୍ରଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।