ଖୋର୍ଦ୍ଧାରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା: ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ

ଖୋର୍ଦ୍ଧା ଅଫିସ,୩୦। ୮:  ହିରାକୁଦ ଗେଟ୍‌ ଖୋଲାଯିବା ପରେ ରାଜୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହୋଇଛି। ହଜାର ହଜାର ଏକର ଚାଷଜମି ପାଣିରେ ବୁଡି ରହିଛି। ଶୁକ୍ରବାର ଜିଲାପାଳ ଗ୍ରାମ ଦାଣ୍ଡରେ ଡଙ୍ଗାରେ ବୁଲି ବନ୍ୟା ସ୍ଥିତି ପରଖିଥିଲେ। ନଦୀ ଫୁଲୁଥିବାରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ଲାଗି ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଶନିବାର ଡଙ୍ଗାରେ ଓରବରସିଂ ପଞ୍ଚାୟତର ହିରିମୂଳ, ଓରମି ଓ ଧବଳପୁର ଗ୍ରାମରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଆଗକୁ ବନ୍ୟାଜଳ ବଢିବା ଆଶଙ୍କା ରହିଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ କହିଛନ୍ତି। ହିରିମୂଳ ଗ୍ରାମରେ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଣୀଧନ ବିଭାଗର ଏକ ଟିମ୍‌ ଗ୍ରାମରେ ପହଞ୍ଚି ଗୋରୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଗୋଖାଦ୍ୟ ପ୍ରଦାନ କରିଛନ୍ତି। ସେହିପରି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି। ନରଣଗଡ଼ ପଞ୍ଚାୟତ ମାନପୁର ଗ୍ରାମର ଏକାଧିକ ଗ୍ରାମବାସୀ ଓ ଗୋରୁ ନିକଟସ୍ଥ ଆଶ୍ରୟସ୍ଥଳରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି। ୩ଦିନ ଧରି ପାଣି ଘେରରେ ରହିଥିବା ମାନପୁର ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଉକ୍ତ ଗ୍ରାମବାସୀ ଆଶ୍ରୟସ୍ଥଳରେ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ରାଜୁଆ ନଦୀ ଯୋଗୁ ଦୁର୍ଦ୍ଦଶା ଭୋଗୁଥିବା ଗ୍ରାମବାସୀ ବନ୍ଧ ନିର୍ମାଣ ଲାଗି ଦାବି କରିଛନ୍ତି। ବେଗୁନିଆ ବ୍ଲକ ସାରୁଅ ପଞ୍ଚାୟତ ଅଞ୍ଚଳର ଏକର ଏକର ଚାଷ ଜମିରେ ୪ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଉଷ୍ମ ପ୍ରସ୍ରବଣ(ଅଟ୍ରି) ବନ୍ୟା ଜଳରେ ବୁଡି ରହିଥିବା ବେଳେ ଏହାର ନିକଟସ୍ଥ ଚାଷ ଜମିରେ ୩ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଜିଲାପାଳ ସନତ୍‌ କୁମାର ମହାନ୍ତି କହିଛନ୍ତି, ସ୍ଥିତି ଉପରେ ନଜର ରହିଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ବନ୍ୟା ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଏକ ଟିମ୍‌ ସେଠାରେ ଉପସ୍ଥିତ ଥିବା ସେ କହିଛନ୍ତି।