Posted inଫୁରସତ

ନାଟ୍ୟକାର ମନ୍ମଥ

ଦର୍ଶକଙ୍କୁ ନାଟକ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ଏହା ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ। ସମାଜର ନିଚ୍ଛକ ଛବି ନିଖୁଣଭାବେ ନାଟକରେ ହିଁ ପ୍ରତିଫଳିତ ହୋଇଥାଏ। ଏଥିପାଇଁ ଦୀର୍ଘ ୬ ଦଶନ୍ଧି ଧରି ନାଟ୍ୟକଳାକୁ ନେଇ ତାଙ୍କର ଦୁନିଆ, ତାଙ୍କ ଜୀବନ ଓ ସ୍ବପ୍ନ। ଥିଏଟର, ଅପେରା, ରେଡିଓ, ଟିଭି ଓ ସିନେମା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ଭିନ୍ନ ଭିନ୍ନ ପରିଚୟ। ଓଡ଼ିଶାର ଲୋକକଳା ନାଟକ ସମ୍ପର୍କରେ ଅନେକ ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି। ଲୋକକଳା ଲୋକନାଟ୍ୟ ସଂସ୍କୃତିରେ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ, ସର୍ବ ଭାରତୀୟ ସ୍ତରରେ ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ପ୍ରାବନ୍ଧିକ ଓ ଗବେଷକ ମନ୍ମଥ କୁମାର ଶତପଥୀ। ଜନ୍ମ ୪ ଜୁନ ୧୯୪୪ ମସିହା। ପିତା ପଣ୍ଡିତ ଶ୍ରୀଧର ଶତପଥୀ ଥିଲେ ଜଣେ ଜ୍ୟୋତିର୍ବିଦ୍‌, କର୍ମକାଣ୍ଡବିତ୍‌ ଓ ଭଞ୍ଜସାହିତ୍ୟ ଗବେଷକ। ମାତା ଶକୁନ୍ତଳା ଦେବୀ। ଘର ଗଞ୍ଜାମ ଜିଲାର ଭଞ୍ଜନଗର ନିକଟ ବାସୁଦେବପୁର ଶାସନରେ। ସେ କୁହନ୍ତି, ଆମଘର ସାହିତ୍ୟ, ସଂସ୍କୃତିସମ୍ପନ୍ନ ପରିବାର। ଘରେ ୪ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ମୁଁ ବଡ଼ ଥିଲି। ସେତେବେଳେ ଗାଁ ଚାଟଶାଳୀରେ ପାଠ ପଢିଥିଲି। ୧୯୬୧ରେ ଗଞ୍ଜାମ ଜିଲାପାଳଙ୍କ ଅଫିସ୍‌ରେ କିରାଣିଭାବେ ଚାକିରି କରିଥିଲି। ସମୟକ୍ରମେ ଘରୋଇ ଭାବେ ପରୀକ୍ଷା ଦେଇ ବିଏ ଆକଉଣ୍ଟ୍‌ସ ପାସ୍‌ କରିଥିବାରୁ ସେକ୍ରେଟାରିଏଟରେ ଚାକିରି କଲି । ୧୯୯୨ଯାଏ ଅଡିଟରଭାବେ କାର୍ଯ୍ୟ କରିଥିଲି। ପରେ ଅର୍ଥସେବା ବିଭାଗରେ ପଦସ୍ଥ ଅଫିସର ଭାବେ ଯୋଗଦେଇ ୨୦୦୨ରେ ଅବସର ନେଇସାରିଛି। ତେବେ ମୋର ଯାହା ମନେପଡ଼ୁଛି ପ୍ରାୟ ୬ ବର୍ଷ ବୟସରୁ ଗାଁ ଦଣ୍ଡ ନାଚରେ ଅଭିନୟ କରୁଥିଲି। ଘରୁ ବୋଉର ଶାଢି ପିନ୍ଧି ନାଚିଛି। ଏମିତି ଅଭ୍ୟାସ ରହିଥିଲା। ସେତେବେଳ ନାଚ ହେଲେ ଗାଁରେ ଦୁହୁଡ଼ି ଜାଳି ଦଣ୍ଡ ନାଚ କରାଯାଉଥିଲା। ଯେତେବେଳେ ଉପେନ୍ଦ୍ରଭଞ୍ଜ ହାଇସ୍କୁଲରେ ପଢୁଥିଲି ସେତେବେଳେ ଛୋଟଛୋଟ ଏକାଙ୍କିକା, ନାଟକରେ ଅଭିନୟ କରିବା ଅଭ୍ୟାସ ଜାରି ରହିଥିଲା। ପିଲାଦିନରୁ କଳାସାହିତ୍ୟ ଓ ଅଭିନୟ ପ୍ରତି ରୁଚି ରହିଥିଲା। ଅନେକ ନାଟକରେ ଅଭିନୟ କରିଥିବାବେଳେ ମୁଖ୍ୟତଃ ସୀତା ହରଣ, ଅଭିମନ୍ୟୁ ବଧ ଆଦି ଗୀତିନାଟ୍ୟରେ ଅଭିନୟ କରିଥିଲି। ସମୟକ୍ରମେ ସାମାଜିକ ନାଟକଭାବେ ମୁଖ୍ୟତଃ ଯୌତୁକ, ଝରାବଉଳ, ଶେଷଶ୍ରାବଣ, ରକ୍ତର ଡାକ, ସେହିପରି ନିର୍ଦ୍ଦେଶନା ଦେଇଥିଲି ଯୌତୁକ, ରକ୍ତର ଡାକ, ପରିଶୋଧ ଏବଂ ରଚନା କରିଥିବା ଏକାଧିକ ନାଟକ ମଧ୍ୟରେ ପ୍ରାୟ ୨୨ଖଣ୍ଡ ପୁସ୍ତକ ଛପା ହୋଇଛି । ସେଥି ମଧ୍ୟରେ ଏ ନୁହେଁ କାହାଣୀ, ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ, ଉଠକଙ୍କାଳ, ଜିଅନ୍ତା ଶବ, ଆଜିର ମଣିଷ, ଯୌବନତୀର୍ଥ, ବ୍ୟର୍ଥରାଗିଣୀ, ଅରଣ୍ୟବହ୍ନି, ମଣିଷ ଗଛ ଆଦି ନାଟକ ରଚନା କରିଥିଲି। ସର୍ବଭାରତୀୟ ସ୍ତରରେ ଡ୍ରାମାରେ ମୋ ଦ୍ୱାରା ରଚିତ ନାଟକ ବହି ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ ପୁରସ୍କୃତ ହୋଇଥିଲା। ପୁଣି ଜିଅନ୍ତା ଶବ ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ଆଉ ଅପେରା ନାଟକ ମାଙ୍କଡ଼ ପିନ୍ଧିଛି ଗାନ୍ଧୀ ଟୋପି, ମୁଁ ଚକରା କହୁଛି (ବିପ୍ଲବୀ ଚକରା ବିଷୋୟୀ ସ୍ବାଧୀନତା ସଂଗ୍ରାମୀଙ୍କ କଥା) ଲୋକଲୋଚନକୁ ଆସିଥିଲା। ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ପ୍ରବନ୍ଧ ଲେଖିସାରିଲିଣି। ସେତେବେଳେ ପୀପାଶା, ପ୍ରତିଧ୍ୱନି, ଅନୁରାଗ, ଏଇ ସଂଘର୍ଷ ଆଦି କେତୋଟି ଓଡ଼ିଆ ଚଳଚ୍ଚିତ୍ରରେ ସଂଳାପ, ଅଭିନୟ ପୁଣି ଆସୋସିଏଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିପାରିଥିଲି। ସମୟକ୍ରମେ ୨୦୦୭ରୁ ୨୦୦୯ ଯାଏ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଛି ଓ ବର୍ତ୍ତମାନ ଉପସଭାପତି ରହିଛି। ମୁଁ ଶଙ୍କରା କହୁଛି ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି। ସଙ୍ଗୀତ ନାଟକ ଏକାଡେମୀ ଲାଇଫ ଟାଇମ ପୁରସ୍କାର, ଓଡ଼ିଶା ଲୋକକଳା ଗବେଷଣା ପାଇଁ ନ୍ୟାଶନାଲ ଫେଲୋଶିପ ପାଇଛି। ୨୦୧୬ରୁ ଲୋକକଳାର ପୁନରୁଦ୍ଧାର ଚାଲିଛି। ଏଯାଏ ଭାରତୀୟ ବିଦ୍ୟାଭବନଠାରେ ୧୦୭ଟି ଲୋକକଳାର ଏପିସୋଡ ହୋଇସାରିଲାଣି। ପ୍ରାୟ ୯୨ଟି ର ଡକ୍ୟୁମେଣ୍ଟେଶନ ହୋଇସାରିଛି। ଲୋକକଳା ଗବେଷଣା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ମାସ ମାସ ଧରି ଯାଇଛି। ଏମିତିରେ କନ୍ଧମାଳର କଳିଙ୍ଗଘାଟିି ନିକଟରେ ରହିଥିବା ବିଶିପଡ଼ାର ଲଙ୍କାପୋଡ଼ି ଯାତ୍ରାର ପ୍ରସିଦ୍ଧିକୁ ବିଶ୍ୱଦରବାରରେ ପହଞ୍ଚାଇବାର ପ୍ରୟାସ କରିଥିଲି। ପ୍ରାୟ ୨୦୦୮ରୁ ଲୋକକଳା ମଧ୍ୟରେ ପ୍ରହଲ୍ଲାଦ, ସଖୀ କଣ୍ଢେଇ, ଲଙ୍କାପୋଡ଼ି ଆଦିକୁ ଉଜ୍ଜୀବିତ କରିବାର ଉଦ୍ୟମ ଜାରି ରଖିଥିଲି। ଫେଷ୍ଟିଭାଲ ଆଣ୍ଡ ଫୋକ୍‌ ଥିଏଟର ଅଫ ଓଡ଼ିଶା ନାମରେ ବହି ବି ପ୍ରକାଶିତ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିଛି। ଇନ୍‌ଫୋସିସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଆୟୋଜିତ ଲୋକକଳାର ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ଦାୟିତ୍ୱରେ ରହିଛି। ଓଡ଼ିଶାର ଲୋକକଳାକୁ ସାଧାରଣତଃ ଗାଁର ଲୋକମାନେ ବଞ୍ଚାଇ ରଖିଥାନ୍ତି। ଲୋକକଳା ବଞ୍ଚାଇବା ପାଇଁ ଓଡ଼ିଶାରେ ଲୋକକଳା ତାଲିମ କେନ୍ଦ୍ରର ଆବଶ୍ୟକତା ରହିଛି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri