ଡାକ୍ତରଖାନା ଛାତରୁ ପ୍ଲାଷ୍ଟର ଖସି ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ

ବାରିପଦା ଅଫିସ,୯।୧୦: ମୟୂରଭଞ୍ଜ ଜିଲା ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ଛାତରୁ ପ୍ଲାଷ୍ଟର ଖସି ଶାମାଖୁଣ୍ଟା ବ୍ଲକ ଅଧୀନ ପୋଡାରଅସ୍ତିଆ ଗ୍ରାମର ଚକ୍ରଧର ସିଂଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବାରିପଦା-ଉଦଳା ରାସ୍ତାର ଚିପଟଅସ୍ତିଆ ନିକଟରେ ମୃତଦେହ ରଖି ରାଜପଥ ଅବରୋଧ କରାଯାଇଛି। ଅଞ୍ଚଳର ଶତାଧିକ ମହିଳା ପୁରୁଷ ଶୁକ୍ରବାର ରାତି ୧୧ଟାରୁ ରାଜ୍ୟ ରାଜପଥକୁ ଅବରୋଧ କରି ଧାରଣାରେ ବସିବା ସହ ସ୍ବର୍ଗରଥ ଗାଡ଼ିକୁ ଅଟକ ରଖିଛନ୍ତି । ପିଆର୍‌ଏମ୍‌ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଟାଉନ ପୋଲିସ ବୁଝାଶୁଝା କରିବା ପରେ ମଧ୍ୟ ଦୀର୍ଘ ୧୦ ଘଣ୍ଟା ଧରି ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇପଡିଛି। ଫଳରେ ଉଦଳା ପଟୁ ବାରିପଦାକୁ ଆସୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।