ବିମାନକୁ ପର୍ତ୍ତୁଗାଲ ଯିବାର ଥିଲା, କିନ୍ତୁ ପହଞ୍ଚିଲା ସ୍ପେନ୍‌ରେ, ଆଉ ତା’ ପରେ…

ଡବଲିନ୍‌,୧୮ା୯: ୟୁରୋପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଏକ ବିମାନ ପର୍ତ୍ତୁଗାଲ ଯିବାକୁ ଥିଲା, କିନ୍ତୁ ଏହି ବିମାନ ସ୍ପେନରେ ପହଞ୍ଚିଥିଲା। ପରେ ବହୁ କଷ୍ଟରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସୀମା ପାର ହେବା ପରେ ପର୍ତ୍ତୁଗାଲକୁ ପଠାଯାଇଥିଲା। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ପୂରା ଘଟଣାଟି ବିମାନରେ ଥିବା ଯାତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ବ୍ୟାରି ମାଷ୍ଟରସନ ନାମକ ଜଣେ ଯାତ୍ରୀ କହିଛନ୍ତି, ତାଙ୍କୁ ପର୍ତ୍ତୁଗାଲର ଫାରୋରେ ଅବତରଣ କରିବାକୁ ପଡ଼ିବ। କିନ୍ତୁ ବାସ୍ତବରେ ସେ ସ୍ପେନର ମଲାଗାରେ ପହଞ୍ଚିଥିଲେ। ଏହା ଯାତ୍ରୀଙ୍କ ଦୋଷ ନ ଥିଲା କି ସେ ହଠାତ୍‌ ଅନ୍ୟ ଏକ ବିମାନରେ ଚଢ଼ିଗଲେ। ବରଂ ଏହା ବିମାନର ଦୋଷ ଥିଲା।

ବ୍ୟାରି କହିଛନ୍ତି, ଏହି ବିମାନ ଡବଲିନରୁ ଚାଲିଯାଇଥିଲା। କିନ୍ତୁ ଆଶା କରାଯାଉଥିବା ଫାରୋରେ ଏହା ଅବତରଣ କରି ନ ଥିଲା। ଏହା ପରେ ସମସ୍ତ ୧୫୭ ଜଣ ଯାତ୍ରୀଙ୍କୁ ଏକ ବସ୍‌ରେ ପଠାଯାଇଥିଲା। ୫ ଘଣ୍ଟାର ଯାତ୍ରା ପରେ ଯାତ୍ରୀମାନଙ୍କୁ ପର୍ତ୍ତୁଗାଲକୁ ସ୍ଥାନାନ୍ତର କରାଯାଇଥିଲା। କେବଳ ଏତିକି ନୁହେଁ, ସୀମାରେ ଥିବା ଅନ୍ୟ ଏକ ବସ୍‌ରେ ବସିବା ପାଇଁ ସମସ୍ତଙ୍କୁ କୁହାଯାଇଥିଲା।

କାହିଁକି ଏପରି ବିଶୃଙ୍ଖଳା ଘଟିଲା ସେନେଇ ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ଏହି ଅନୁଯାୟୀ, ଫ୍ରାନ୍ସର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ର ଷ୍ଟ୍ରାଇକ୍‌ ଯୋଗୁ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଥିଲା। ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରେ ବୋଲି ଏୟାରଲାଇନ୍ସ କହିଛି। କୁହାଯାଉଛି, ୧୬ ସେପ୍ଟେମ୍ବରରେ ହୋଇଥିବା ଏହି ଧର୍ମଘଟ ଯୋଗୁ ଅନେକ ବିମାନକୁ ଅନ୍ୟ ସହରକୁ ପଠାଇବାକୁ ପଡ଼ିଥିଲା।

Share