ଦୟାର ଦୟନୀୟ ଅବସ୍ଥା

ଯେଉଁ ନଦୀଜଳରେ କପିଳମୁନି ସ୍ନାନକରିବା ସହ ତପସ୍ୟାକରି ମୋକ୍ଷପ୍ରାପ୍ତି ହୋଇଥିଲେ,ଉକ୍ତ ନଦୀରେ ଅବଗାହନକରି ପଞ୍ଚପାଣ୍ଡବ ପାପମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟାପରବଶ ହୋଇ କଳିଙ୍ଗ ଯୁଦ୍ଧରେ ନିହତ ଲୋକଙ୍କୁ କୋଳେଇନେଇ ନିଜେ ରକ୍ତରଞ୍ଜିତ ହୋଇଥିଲା,ଯେଉଁ ନଦୀ ମଗଧର କ୍ରୂର ରାଜା ଭାବେ ପରିଚିତ ‘ଚଣ୍ଡାଶୋକ’ଙ୍କୁ ‘ଧର୍ମାଶୋକ’ରେ ପରିଣତ କରିଥିଲା, ତାହା ହେଉଛି ଦୟା ନଦୀ। ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ଦେଖିଲେ ଓଡ଼ିଶାର ଦୟାନଦୀ ହେଉଛି ଏକ ପୁରାତନ ଏବଂ ପବିତ୍ର ନଦୀ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଦୟା ନଦୀର ପବିତ୍ରତା ହ୍ରାସ ପାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୟା ନଦୀର ଅବସ୍ଥା ଦୟନୀୟ ହୋଇପଡ଼ିଛି।
ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ୨୦୨୩ରେ ପ୍ରକାଶିତ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଓଡ଼ିଶାରେ ୯୪,୦୨୫ଟି ପୋଖରୀ, ୭୮,୦୬୭ଟି ଟାଙ୍କି, ୬୭୯ଟି ହ୍ରଦ/କେନାଲ,୧୬୦୬ଟି ରିଜରଭୟରରେ ମଧୁରଜଳ ଗଚ୍ଛିତ ରହିଛି। ତା’ ସହ ସମୁଦାୟ ୨୪,୮୭୩ କି.ମି. ଦୈର୍ଘ୍ୟ ବ୍ୟାପୀ ନଦୀଗୁଡ଼ିକରେ ମଧୁରଜଳ ପ୍ରବାହିତ ହେଉଛି ଏବଂ ବାର୍ଷିକ ହାରାହାରି ୧୨୦୦ମି.ମି. ବୃଷ୍ଟିପାତ ଯୋଗୁ ଓଡ଼ିଶାକୁ ଏକ ଜଳ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ କରାଯାଉଛି। ଏ ସବୁ ସତ୍ତ୍ୱେ ମଧ୍ୟ ପ୍ରଦୂଷଣ କାରଣରୁ ଗଚ୍ଛିତ ଓ ପ୍ରବାହିତ ଜଳ ଆମର ଉପଯୋଗୀ ହୋଇପାରୁନାହିଁ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ତଥ୍ୟ ଅନୁସାରେ ଭାରତରେ ଯେଉଁ ୩୫୧ଟି ନଦୀ ମାତ୍ରାଧିକ ପ୍ରଦୂଷିତ ତନ୍ମଧ୍ୟରୁ ଦୟା ସମେତ ଓଡ଼ିଶାରେ ୧୯ଟି ନଦୀ ଅନ୍ତର୍ଭୁକ୍ତ।
ଦୟା ନଦୀ କୁଆଖାଇ ନଦୀର ଏକ ଶାଖା ନଦୀ। ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ‘ଦୟା’ ହୋଇଛି। ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ‘ଦଧିଆ’ ପରେ ‘ଦହିଆ’ ଓ ତା’ ପରେ ‘ଦୟା’ ନାମ ହୋଇଛି। ଏହା ଭୁବନେଶ୍ୱର ଉପକଣ୍ଠ ସରଦେଇପୁରଠାରୁ ବାହାରି ଧଉଳି, ଡେଲାଙ୍ଗ, ତିରିମଲ, ଘୋରଡ଼ିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ବସନ୍ତପୁର, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୪୦ କି.ମି. ଅତିକ୍ରମକରି ଚିଲିକାରେ ମିଶିଛି। ସାରା ଭୁବନେଶ୍ୱର,ଡେଲାଙ୍ଗ ଓ କଣାସ ଅଞ୍ଚଳର ପାଖାପାଖି ୪ଲକ୍ଷ ଲୋକ ଏହି ନଦୀ ଉପରେ ନିର୍ଭରଶୀଳ। ୧୨୦୦ ହେକ୍ଟର ଚାଷଜମି ନିମନ୍ତେ ତଥା ୮୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ପିଇବା ପାଣି ପାଇଁ ଏହି ନଦୀ ଓ ଏହାର ଶାଖା ନଦୀ ଉପରେ ନିର୍ଭର କରିଥାନ୍ତି। ଏହାର ଉପକୂଳରେ ପାଣିଟାଙ୍କି କରି ପାଇପ ଯୋଗେ ଅନେକ ଅଞ୍ଚଳକୁ ମଧ୍ୟ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଦେଖିବାକୁ ଗଲେ ଏହି ନଦୀ ଲୋକମାନଙ୍କର ଜୀବନ ରେଖା ପାଲଟିଯାଇଛି। ଏହା ଭୁବନେଶ୍ୱର ଦେଇ ପ୍ରବାହିତ ହେଉଥିବାରୁ ସାରା ସହରର ଦୂଷିତ ଜଳ ଓ ପଦାର୍ଥ ଗଙ୍ଗୁଆ ନାଳରେ ପିପିଲି ନିକଟବର୍ତ୍ତୀ କଣ୍ଟି କାଜ ଦେଇ ସିଧାସଳଖ ଦୟା ନଦୀକୁ ପ୍ରବେଶକରି ତା’ର ଜଳକୁ ପ୍ରଦୂଷିତ କରୁଛି। ଏକଦା ଦେଶର ୧ ନମ୍ବର ସ୍ମାର୍ଟ ସିଟି ଭାବେ ପରିଗଣିତ ହେଉଥିବା ଭୁବନେଶ୍ୱର ସହରରେ ବର୍ଜ୍ୟଜଳ ବିଶୋଧନ ପ୍ରକଳ୍ପ ନ ଥିବାରୁ ଗତ ୧ ଦଶନ୍ଧି ଧରି ନଦୀଜଳର ପ୍ରଦୂଷଣ ବଢ଼ିବାରେ ଲାଗିଛି। ସହରରେ ଥିବା ଶିଳ୍ପସଂସ୍ଥା,ମଞ୍ଚେଶ୍ୱର ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ବାହାରୁଥିବା ବିଷାକ୍ତ ଜଳ ତଥା ଡାକ୍ତରଖାନାରୁ ବାହାରୁଥିବା ଅଳିଆ ଆବର୍ଜନା,ଘରୋଇ ଅଳିଆ ଆଦି ନଦୀ ଜଳରେ ମିଶୁଛି। ଫଳରେ ଜଳରେ ଥିବା ଅମ୍ଳଜାନର ପରିମାଣ ହ୍ରାସ ପାଉଛି ଓ ଜଳ ପ୍ରଦୂଷିତ ହେଉଛି। କେବଳ ଏତିକି ନୁହେଁ, ଜଳ ନିଷ୍କାସନ କ୍ଷେତ୍ରରେ ପ୍ରମୁଖ ଭୂମିକା ସାଜିଥିବା ଦୟା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କିଛି କିଛି ସ୍ଥାନରେ କେତେଜଣ ନଦୀପଠାକୁ ପୋତି ଘର ଓ ଚାଷ କାର୍ଯ୍ୟରେ ବ୍ୟବହାର କରୁଛନ୍ତି, ନିୟମିତ ବ୍ୟବଧାନରେ ନଦୀଜଳକୁ ପରିଷ୍କାର କରାଯାଉ ନ ଥିବାରୁ ତାହା ସମ୍ପୂର୍ଣ୍ଣ କଲିକତି ଓ ଚିଙ୍ଗୁଡ଼ିଆ ଦଳରେ ପରିପୂର୍ଣ୍ଣ ହୋଇରହୁଛି। ଅତ୍ୟଧିକ ଦଳ ଓ ନଦୀର ମୁହାଣ ପୋତିହୋଇଯିବା ଦ୍ୱାରା ଜଳ ନିଷ୍କାସନ ହୋଇପାରୁନାହିଁ। ଚିଲିକାରୁ ଲୁଣିପାଣି ଓଲଟା ଦୟାନଦୀରେ ପ୍ରବେଶ କରୁଥିବାରୁ ମଧୁର ଜଳ ଲବଣାକ୍ତ ହେଉଛି। ଦୟା ନଦୀରେ ଲୁଣିପାଣି ପ୍ରବେଶ କରିବା ଯୋଗୁ ଏହାର ଶେଷ ମୁଣ୍ଡରେ ଥିବା ଗ୍ରାମଗୁଡ଼ିକରେ କୂପ ଓ ପୋଖରୀରୁ ଲୁଣିପାଣି ବାହାରୁଛି ଯାହା ପାନୀୟ ଉପଯୋଗୀ ହୋଇପାରୁନାହିଁ।
ଦୟାନଦୀର ଏହିଭଳି ଅବସ୍ଥାକୁ ନେଇ ଅନେକ ଥର ସ୍ବେଚ୍ଛାସେବୀ ସଙ୍ଗଠନ ଓ ସାଧାରଣ ଲୋକମାନେ ଆନ୍ଦୋଳନ କରିଛନ୍ତି। କିନ୍ତୁ ସରକାରଙ୍କର ବେପରୁଆ ମନୋଭାବ ଯୋଗୁ ଅବସ୍ଥାରେ ପରିବର୍ତ୍ତନ ହେଉନାର୍ହି। ଅତୀତରେ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ହେବାକୁ ଥିବା ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏ ଯାଏଁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ବିଡିଏ ଦ୍ୱାରା ‘ସେଭ୍‌ ଦୟା’ କମିଟି ଗଠନ କରାଯାଇ ପ୍ରଦୂଷଣକୁ ନିୟମିତ ବ୍ୟବଧାନରେ ମାପିବା ସହ ଏହାକୁ କିଭଳି ରୋକାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ସରକାର ମନସ୍ଥ କରିଥିଲେ। କିନ୍ତୁ ତାହା କାଗଜକଲମରେ ସୀମିତ ହୋଇ ରହିଯାଇଛି। ଜଳ ସମ୍ପଦ ବିଭାଗ ଦ୍ୱାରା ନଦୀ ଜଳର ସୁରକ୍ଷା ତଥା ନଦୀବନ୍ଧ ଉନ୍ନତୀକରଣ ନିମନ୍ତେ ସ୍ବତନ୍ତ୍ର ବ୍ୟୟ ବରାଦ କରୁଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କେବଳ ପ୍ରତୀକାତ୍ମକ ନ ହୋଇ ତାହା କିଭଳି ବାସ୍ତବରେ ପରିଣତ ହେବ ସେ ଦିଗରେ ସରକାର ଯତ୍ନବାନ୍‌ ହେବା ଉଚିତ। କେବଳ ଦୟା କାହିଁକି, ରାଜ୍ୟର ଅଧିକାଂଶ ନଦୀର ଅବସ୍ଥା ଏହିଭଳି। ତେଣୁ ନଦୀର ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ହେଲେ ନଦୀଶଯ୍ୟାକୁ ସଫା କରିବା, ନଦୀର ୨ ପାର୍ଶରେ ବନୀକରଣ କରିବା, ବିକଳ୍ପ ଜଳ ସଂରକ୍ଷଣ ପାଇଁ ଯୋଜନା କରିବା, କିଭଳି ଅବିରତ ଧାରା ଓ ଜୈବ ବିବିଧତା ପୁନର୍ଜୀବିତ ହେବ ତାହା ଉପରେ କାର୍ଯ୍ୟ କରିବା ଦରକାର। ଆମେ ଆହ୍ବାନ କରିବା ଦୟା ନଦୀ ପ୍ରତି ସମସ୍ତଙ୍କର ଦୟା ଭାବ ଜାଗ୍ରତ ହେଉ ଓ ପ୍ରକୃତି ସୁରକ୍ଷିତ ରହୁ।
ଅଧ୍ୟାପକ, ବାଣିଜ୍ୟ ବିଭାଗ,
ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟ,କଟକ
ମୋ:୯୪୩୮୦୭୦୮୪୯


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri