ପୁଣି ବାଦାମବାଡ଼ି ରାସ୍ତାରେ ଭୂତଳ ପାଇପ୍‌ ଫାଟିଲା

କଟକ ଅଫିସ,୧୧ା୧୦: କଟକ ବାଦାମବାଡି ଟ୍ରାଫିକ ଛକରେ ରବିବାର ଅପରାହ୍ନରେ ପୁଣିଥରେ ଭୂତଳ ପାଣି ପାଇପ ଫାଟିଥିଲା। ଏଥିଯୋଗୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହେବା ସହ ପ୍ରାୟ ୧୫ ଫୁଟ ଉଚ୍ଚକୁ ପାଣି ଉଠୁଥିବା ଦେଖିବାକୁ ମିଳିଥିଲା। ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଘଟଣା ଲୋକଙ୍କୁ ଚକିତ କରିଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରେ ଉକ୍ତ ପାଇପକୁ ସଂଯୋଗ କରିଥିବା ପାଣି ଲାଇନକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ସମୟ ଧରି ପାଣି ବାହାରି ବାଦାମବାଡ଼ି ଭଳି ଜନଗହଳିପୂର୍ଣ୍ଣ ରାସ୍ତାରେ ଟ୍ରାଫିକ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳି ନ ଥିଲା। କଟକ ମହାନଗର ନିଗମ (ସିଏମ୍‌ସି), ଜନସ୍ବାସ୍ଥ୍ୟ ବିଭାଗ ଓ ଜାଇକା ବିଭାଗର ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସହରରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅମୃତ ଯୋଜନାରେ ବିଛା ଯାଇଥିବା ପାଇପ ଅତ୍ୟନ୍ତ ନିମ୍ନମାନର ଯୋଗୁ ପାଣି ପ୍ରେସର ସହ୍ୟ ନ କରିପାରି ତାହା ଫାଟି ଯାଉଥିବା ସ୍ଥାନୀୟଲୋକ କହିଛନ୍ତି। ସୂଚନାଯୋଗ୍ୟ, ଗତ ବୁଧବାର ରାଜାବଗିଚାସ୍ଥିତ ସିଟି କଲେଜ ସମ୍ମୁଖ ରିଂ ରୋଡ୍‌ରେ ପାଣି ପାଇପ ଫାଟି ପାଣିର ଫୁଆରା ସୃଷ୍ଟି କରିଥିଲା।
ସହରବାସୀଙ୍କୁ ପୂର୍ବରୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ହେଲେ ସେଥିରେ ଲୌହଗୁଣ୍ଡ ଆସୁଥିବାରୁ ତାହା ପିଇବା ଅନୁପଯୋଗୀ ହୋଇପଡିଥିଲା। ଏ ନେଇ ସହରବାସୀ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ଅମୃତ ଯୋଜନା ଆରମ୍ଭ ହୋଇଥିଲା। ତଦନୁଯାୟୀ ୨୦୧୫-୧୬ରୁ ବିଭିନ୍ନ ସ୍ଥାନରେ ପାଣି ପାଇପ ବିଛାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା। ନଦୀରୁ ପାଣି ଆଣି ସିଡିଏସ୍ଥିତ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବିଶୋଧନ କରାଯାଇ ଲୋକଙ୍କୁ ୨୪ ଘଣ୍ଟା ଜଳ ଯୋଗାଇବା ପାଇଁ ଏହାର ଉଦ୍ଦେଶ୍ୟ ରହିଥିଲା। ନଦୀ ଜଳ ବିଶୋଧନ ପାଇଁ ନିର୍ମାଣ ହୋଇଥିବା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ବର୍ତ୍ତମାନ ସହରରେ ବିଛା ଯାଇଥିବା ପାଇପଲାଇନ ଟେଷ୍ଟିଂ କାର୍ଯ୍ୟ ଚାଲିଛି। ଏହି ସମୟରେ ବାଦାମବାଡି ରାସ୍ତାରେ ପାଇପ ଫାଟିଥିବା ଦେଖିବାକୁ ମିଳିଥିଲା।
ଏ ସମ୍ପର୍କରେ ୱାଟ୍‌କୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତି କହିଛନ୍ତି, ଗତଥରଠାରୁ ଏଥର କମ୍‌ ପ୍ରେସରରେ ପାଣି ଛଡାଯାଇଥିଲା। ଏହି ଗୋଟିଏ ଟେଷ୍ଟିଂ ପରେ ପୂଜା ପାଇଁ ସମସ୍ତ ଟେଷ୍ଟିଂ ବନ୍ଦ ରହିଥାନ୍ତା। ହେଲେ ଟେଷ୍ଟ ନ କଲେ କେଉଁଠି ପାଇପରେ ସମସ୍ୟା ରହିଛି ତାହା ଜାଣି ହେବନାହିଁ। ପାଇପ ଫାଟିବା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଉକ୍ତ ସ୍ଥାନରେ ମରାମତି କରାଯାଇଥିଲା।